ହାଇକୋର୍ଟଙ୍କ ସର୍କୁଲାର: ଲକ୍‌ଡାଉନ୍‌ ଅଞ୍ଚଳରେ ପ୍ରତ୍ୟେକ ଦିନ ୧ ଘଣ୍ଟା ଖୋଲା ରହିବ ନିମ୍ନ କୋର୍ଟ

କଟକ ଅଫିସ,୨୩।୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ୫ ଜିଲା ଏବଂ ୮ ପୌରାଞ୍ଚଳରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ପକ୍ଷରୁ ଅଧୀନସ୍ଥ କୋର୍ଟଗୁଡିକ ପାଇଁ ସୋମବାର ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏସବୁ ଅଞ୍ଚଳରେ ଥିବା କୋର୍ଟଗୁଡିକ ପ୍ରତ୍ୟେକ ଦିନ ମାତ୍ର ୧ ଘଣ୍ଟା ପାଇଁ ଖୋଲା ରହିବ। ଅର୍ଥାତ୍‌ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। କେବଳ ଅତ୍ୟାବଶ୍ୟକ ମାମଲାଗୁଡିକର ଶୁଣାଣି କରାଯିବ। ଜାମିନ, ଉତ୍ପାଦନ ଆବଶ୍ୟକତା ଅନୁଯାୟୀ ସର୍ବନିମ୍ନ କର୍ମଚାରୀ ନିୟୋଜିତ ରହିବେ। ଅନ୍ୟ ଜିଲାମାନଙ୍କରେ କୋର୍ଟ ଏବଂ କାର୍ଯ୍ୟାଳୟଗୁଡ଼ିକ ପୂର୍ବାହ୍ନ ୧୧ରୁ ଅପରାହ୍ନ ୧ଟା ଯାଏ ଖୋଲା ରହିବ। ଅଦାଲତର ଅଣ-ନିୟୋଜିତ କର୍ମଚାରୀମାନେ ଆବଶ୍ୟକ ଅନୁଯାୟୀ ଡ୍ୟୁଟି କରିବାକୁ ପ୍ରସ୍ତୁତ ରହିବେ। ଶୁଣାଣି ସମୟରେ କୋର୍ଟରେ ଭିଡ଼କୁ ଏଡ଼ାଇବା ପାଇଁ କେବଳ ଜଣେ ଓକିଲ/ଓକିଲଙ୍କୁ ସମ୍ପୃକ୍ତ ପକ୍ଷଙ୍କ ପ୍ରତିନିଧିତ୍ୱ କରିବାକୁ କୋର୍ଟରେ ଉପସ୍ଥିତ ରହିବାକୁ ଅନୁମତି ଦିଆଯିବ। ଏଥିରେ ଓକିଲ ସଂଘଗୁଡିକ ସହଯୋଗ କରିବାକୁ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ କୁହାଯାଇଛି।

Share