Categories: ବାଣିଜ୍ୟ

ହାଇକୋର୍ଟରେ ଚୋକସିଙ୍କ ସତ୍ୟପାଠ;ଫେରାର ହୋଇନି, ଟ୍ରିଟ୍‌ମେଣ୍ଟ ପାଇଁ ବିଦେଶ ଯାଇଛି

ନୂଆଦିଲ୍ଲୀ,୧୮-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତିର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ସୋମବାର ବମ୍ବେ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ସେ ଦେଶରୁ ପଳାୟନ କରିନାହାନ୍ତି ବରଂ ନିଜର ମେଡିକାଲ ଟ୍ରିଟ୍‌ମେଣ୍ଟ ପାଇଁ ବିଦେଶ ଯାଇଛନ୍ତି ବୋଲି ସତ୍ୟପାଠରେ ସେ କହିଛନ୍ତି। ବର୍ତ୍ତମାନ ସେ ଆଣ୍ଟିଗୁଆରେ ଅବସ୍ଥାନ କରୁଛନ୍ତି ଓ ତଦନ୍ତରେ ସହାୟତା କରିବାକୁ ଇଚ୍ଛୁକ। ଅଦାଲତ ଚାହିଁଲେ ତଦନ୍ତକାରୀ ଅଧିକାରୀଙ୍କୁ ଆଣ୍ଟିଗୁଆ ଆସିବାକୁ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଚୋକ୍‌ସି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ପଳାତକ ହୀରା ବ୍ୟବସାୟୀ କହିଛନ୍ତି ଯେ, ତଦନ୍ତରେ ସହାୟତା କରିବାକୁ ଇଚ୍ଛା ଥିଲେ ହେଁ ସ୍ବାସ୍ଥ୍ୟଗତ କାରଣରୁ ସେ ବିମାନ ଯାତ୍ରା କରିବାକୁ ଅସମର୍ଥ। ଯାତ୍ରା କରିବା ଲାଗି ଡାକ୍ତରଙ୍କ ଅନୁମତି ମିଳିବା ମାତ୍ରେ ସେ ଭାରତ ଫେରିଆସିବେ। ତେବେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସ୍ବତନ୍ତ୍ର ଅଦାଲତ ଏବଂ ଯାଞ୍ଚ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବାକୁ ସେ ପ୍ରସ୍ତୁତ ବୋଲି ଚୋକ୍‌ସି କହିଛନ୍ତି। ଯାଞ୍ଚରେ ସହାୟତା କରୁନାହାନ୍ତି ବୋଲି ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଯୁକ୍ତି ସମ୍ପୂର୍ଣ୍ଣ ମିଛ ବୋଲି ହୀରା ବ୍ୟବସାୟୀ କହିଛନ୍ତି। ତେବେ ସିବିଆଇ ଓ ଇଡି ତାଙ୍କୁ ଆଣ୍ଟିଗୁଆରେ ଜେରା କରିପାରିବେ ବୋଲି ଚୋକ୍‌ସି ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଥାଉ କି, ଭଣଜା ନୀରବ ମୋଦିଙ୍କ ସହ ମିଶି ଚୋକ୍‌ସି ପିଏନ୍‌ବିରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ଋଣ ଠକି ନେଇଛନ୍ତି ବୋଲି ଅଭିଯୋଗ ହୋଇଛି।

Share