ହାଇକୋର୍ଟରେ ବାରବାଟୀ-କଟକ ବିଧାନସଭା ନିର୍ବାଚନ ମାମଲା: ବିଧାୟକ ମୋକିମ୍‌ଙ୍କୁ ଜବାବ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୨୭।୮: ବାରବାଟୀ-କଟକ ନିର୍ବାଚନକୁ ନେଇ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋମବାର ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁ ଏହି ମାମଲାର ଶୁଣାଣି କରିଥିଲେ। ଆସନ୍ତା ସେପ୍ଟେମ୍ବର ୧୩ରେ ଏହାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବାବେଳେ ଉକ୍ତ ଦିନ ବର୍ତ୍ତମାନର ବିଧାୟକ ଇଂ. ମହମ୍ମଦ ମୋକିମ୍‌ଙ୍କୁ ଜବାବ ଦାଖଲ କରିବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ଗତ ବିଧାନସଭା ନିର୍ବାଚନରେ ବାରବାଟୀ-କଟକ ଆସନରୁ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍‌ ବିଜୟୀ ହୋଇଥିଲେ। ତେବେ ନାମାଙ୍କନପତ୍ର ଦାଖଲ ସମୟରେ ମୋକିମ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠ ଏବଂ ନାମାଙ୍କନପତ୍ରରେ ଅନେକ ତଥ୍ୟ ଲୁଚାଇଥିବା ନେଇ ପୂର୍ବତନ ବିଧାୟକ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମୋକିମ ସତ୍ୟପାଠରେ ତାଙ୍କ ବିରୋଧରେ ଥିବା ଆପରାଧିକ ମାମଲା ଏବଂ ସମ୍ପତ୍ତି ସମ୍ପର୍କରେ ଅନେକ ତଥ୍ୟ ଲୁଚାଇଥିବା ସାମନ୍ତରାୟ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏ ନେଇ ହାଇକୋର୍ଟରେ ନିର୍ବାଚନ ସଂକ୍ରାନ୍ତୀୟ ମାମଲା (ନଂ. ୬/୨୦୧୯) ରୁଜୁ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମିଲନ କାନୁନ୍‌ଗୋ ଏବଂ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।