ହାଇକୋର୍ଟର ନୂଆ ବିଚାରପତି ନାମ ସୁପାରିସକୁ ବିରୋଧ: ୧୬ ପର୍ଯ୍ୟନ୍ତ କୋର୍ଟ ବର୍ଜନ ନିଷ୍ପତ୍ତି

କଟକ ଅଫିସ, ,୧୫।୧୦: ସୁପ୍ରିମକୋର୍ଟଙ୍କ କଲେଜିୟମ ଗତ ୩ ତାରିଖରେ ଓଡ଼ିଶା ହାଇକୋର୍ଟରେ ୨ଜଣ ବିଚାରପତିଙ୍କୁ ନିଯୁକ୍ତି ଦେବା ପାଇଁ ନାମ ସୁପାରିସ କରିଛନ୍ତି। ତେବେ ଏହି ସୁପାରିସକୁ ବିରୋଧକରି ଓଡ଼ିଶା ହାଇକୋର୍ଟ ବାର ଆସୋସିଏଶନ ଆସନ୍ତା ୧୬ ତାରିଖ ଅର୍ଥାତ୍‌ ବୁଧବାର ପର୍ଯ୍ୟନ୍ତ ହାଇକୋର୍ଟଙ୍କ ସମସ୍ତ ଅଦଲତକୁ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛି। ସୋମବାର ହାଇକୋର୍ଟ ବାର୍‌ ଆସୋସିଏଶନ ହଲ୍‌ରେ ଆୟୋଜିତ ଆସୋସିଏଶନର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୁପ୍ରିମକୋର୍ଟଙ୍କ କଲେଜିୟମ ବିଚାରପତି ନିଯୁକ୍ତିରେ ପକ୍ଷପାତିତା ଓ ନିୟମାନୁଯାୟୀ ନିଷ୍ପତ୍ତି ନେଇ ନ ଥିବା ବାର୍‌ ଆସୋସିଏଶନ ଅଭିଯୋଗ କରିଛି। ଆଇନଜୀବୀ ହାଇକୋର୍ଟରେ ନିୟମିତ ପ୍ରାକ୍ଟିସନର ହୋଇଥିଲେ ତାଙ୍କ ନାମ ବିଚାରପତି ପାଇଁ ସୁପାରିସ କରାଯିବା ନିୟମ ରହିଛି। ହେଲେ ସୁପ୍ରିମକୋର୍ଟଙ୍କ କଲେଜିୟମ ଏହି ନିୟମକୁ ବିଚାରକୁ ନ ନେଇ ବିଚାରପତି ନିଯୁକ୍ତି ପାଇଁ ନାମ ସୁପାରିସ କରିଥିବାରୁ ବାର୍‌ ଆସୋସିଏଶନ କୋର୍ଟ ବର୍ଜନ ନିଷ୍ପତ୍ତି ନେଇଥିବା ଆସୋସିଏଶନ ସମ୍ପାଦକ ସଞ୍ଜୟ ଦାସ କହିଛନ୍ତି। ଆସନ୍ତା ବୁଧବାର ଅପରାହ୍ନ ୧ଟା ୧୫ରେ ପୁଣି ବାର୍‌ ଆସୋସିଏଶନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ସେହିପରି ମଙ୍ଗଳବାର ଏହି ଘଟଣାକୁ ନେଇ ଏକ କମିଟି ଗଠନ କରାଯିବ। ଏହି କମିଟିର ପରାମର୍ଶ ଅନୁଯାୟୀ ଆସୋସିଏଶନ ଏହି ଘଟଣା ସମ୍ପର୍କରେ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ସମ୍ପାଦକ ଦାସ କହିଛନ୍ତି।
ସୂଚନା ଅନୁଯାୟୀ, ଓଡ଼ିଶା ହାଇକୋର୍ଟରେ ୨ଜଣ ବିଚାରପତିଙ୍କୁ ନିଯୁକ୍ତି ଦେବାକୁ ସୁପ୍ରିମକୋର୍ଟଙ୍କ କଲେଜିୟମ ରାଷ୍ଟ୍ରପତିଙ୍କୁ ସୁପାରିସ କରିଛି। ପୂର୍ବରୁ ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରୀ ୮ଜଣ ଆଇନଜୀବୀଙ୍କ ନାମ ସୁପାରିସ କରିଥିଲେ। ସୁପ୍ରିମକୋର୍ଟଙ୍କ କଲେଜିୟମ ସଞ୍ଜୀବ ପାଣିଗ୍ରାହୀଙ୍କ ନାମ ସୁପାରିସ କରିଥିବାବେଳେ ସାବିତ୍ରୀ ରଥଙ୍କ ନାମ ବିଚାରାଧୀନ ରଖିଛନ୍ତି। ସେହିପରି ୪ଜଣ ଜୁଡ଼ିସିଆଲ୍‌ ଅଫିସରଙ୍କ ମଧ୍ୟରୁ ବିଭୂପ୍ରସାଦ ରାଉତରାୟଙ୍କ ନାମ ସୁପାରିସ କରାଯାଇଛି। ଏହା ପୂର୍ବରୁ ହାଇକୋର୍ଟ ବାର୍‌ ଆସୋସିଏଶନର କର୍ମକର୍ତ୍ତା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ସହ କଲେଜିୟମର ଅନ୍ୟ ବିଚାରପତିଙ୍କୁ ସାକ୍ଷାତ କରି ଜଣେ ବିଚାରପତିଙ୍କ ନାମ ସୁପାରିସ ନ କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ।

Share