ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବଲାଙ୍ଗୀର ଅଫିସ,୧୬।୧: ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚର ପୁନଃ ସ୍ଥାପନ, ଦୀର୍ଘ ୧୫ମାସ ହେଲା ବନ୍ଦ ହୋଇପଡ଼ିଥିବା ଲୋୟର ସୁକତେଲ ପ୍ରକଳ୍ପର ନିର୍ମାଣ କାମ ତୁରନ୍ତ ଆରମ୍ଭ ଓ ବାଇପାସ୍‌ ରାସ୍ତା ନିର୍ମାଣ ଦାବିରେ ଆକ୍ସନ କମିଟି ପକ୍ଷରୁ ଦିଆଯାଇଥିବା ଦୁଇଦିନ ଧରି ବନ୍ଦ ଡାକରାର ଗୁରୁବାର ଦ୍ୱିତୀୟ ଦିନ। ବୁଧବାର ପରି ଆଜି ମଧ୍ୟ ବଲାଙ୍ଗୀର ଆକ୍ସନ କମିଟି ପକ୍ଷରୁ ସମସ୍ତ କେନ୍ଦ୍ରୀୟ ତଥା ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟ ବନ୍ଦ ରହିଥିବା ବେଳେ କଚେରି, ବ୍ୟାଙ୍କ, ବୀମା ଓ ଡାକ କାର୍ଯ୍ୟାଳୟ ବନ୍ଦ ରହିଛି। ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇ ବଲାଙ୍ଗୀରର ସମସ୍ତ ରାଜନୈତିକ ଦଳ, ବିଭିନ୍ନ ସଂଗଠନ କର୍ମକର୍ତ୍ତା ସକ୍ରିୟ ଭାବେ ସାମିଲ ହୋଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କମିଟି ଚେତାବନୀ ଦେଇଛି। ଏହି ଧାରଣାରେ ଆକ୍ସନ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀ, ନାଗରିକ କମିଟିର ସଭାପତି ବିକ୍ରମାନନ୍ଦ ବହିଦାର, ବାର୍‌ ଆସୋସିଏଶନ୍‌ର ସଭାପତି ଆଇନଜୀବୀ ପ୍ରମୋଦ ତ୍ରିପାଠୀ, ସମ୍ପାଦକ ଅମନ ନାଗ, ସିଭିଲ ସୋସାଇଟିର ସଭାପତି ନୀଳମଣି ମିଶ୍ର, ଆଇନଜୀବୀ ଶୁଭ୍ରାଂଶୁ ମିଶ୍ର ପ୍ରମୁଖ ସାମିଲ ଅଛନ୍ତି।

Share