Categories: ଗଞ୍ଜାମ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘର ଆନ୍ଦୋଳନ

ବ୍ରହ୍ମପୁର ଅଫିସ,୨୭ା୬: ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଦୀର୍ଘଦିନ ହେଲା ଆନ୍ଦୋଳନ ହୋଇଆସୁଛି । ଏହି ଧାରାରେ ଗୁରୁବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଓକିଲମାନେ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇ ବ୍ରହ୍ମପୁରରେ ତୁରନ୍ତ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବାକୁ ଦାବି କରିଥିଲେ। ପ୍ରତି ମାସର ଶେଷ ୪ ଦିନ ଏଥିପାଇଁ ଗଞ୍ଜାମ ଓକିଲ ସଂଘ ପକ୍ଷରୁ କୋର୍ଟ କାର୍ଯ୍ୟ ବର୍ଜନ କରାଯାଉଛି । ଏହି ଆନ୍ଦୋଳନ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ସରକାର ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ନେଇ ପାଲ କମିଶନ ବସାଇଥିଲେ। କମିଶନ ମଧ୍ୟ ରିପୋର୍ଟ ଦେଇସାରିଛି ହେଲେ ଏ ଦିଗରେ ସରକାର କୌଣସି ଉଦ୍ୟମ କରୁନଥିବା ସଂଘ ଅଭିଯୋଗ କରିବା ସହ ଉଦ୍‌ବେଗ ପ୍ରକାଶ କରିଛି । ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ଜାଣିଶୁଣି ବିଳମ୍ବ କରାଯାଉଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଦକ୍ଷିଣ ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ସରକାର ଖୁବଶୀଘ୍ର ବ୍ରହ୍ମପୁରରେବ୍ରହ୍ମପୁରରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ବିଧାନସଭା ଓ ଲୋକସଭାରେ ଏହି ପ୍ରସଙ୍ଗ ଉପସ୍ଥାପନ କରିବାକୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିରେ ଗଞ୍ଜାମ ଓକିଲ ସଂଘର ସମ୍ପାଦକ କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଉପସଭାପତି ଚିତ୍ତରଞ୍ଜନ ଶତପଥୀ, ଯୁଗ୍ମ ସମ୍ପାଦକ କିରଣ କୁମାର ମଣ୍ଡଳ, ଗଞ୍ଜାମ ଓକିଲ ସଂଘର ପୂର୍ବତନ ସମ୍ପାଦକ ପୀତବାସ ପଣ୍ଡା, ବରିଷ୍ଠ ଆଇନଜୀବୀ ମନୋଜ ପଟ୍ଟନାୟକ, ନିର୍ମଳ କୁମାର ସାହୁ, ରଘୁନାଥ ପ୍ରସାଦ ପାଣିଗ୍ରାହୀ, ପ୍ରଦୀପ ବେହେରା, ଅକ୍ଷୟ ପଟ୍ଟନାୟକ, ସଞ୍ଜୟ ମିଶ୍ର, ସୀତାଂଶୁ ପଣ୍ଡା, ନୟନ ମହାପାତ୍ର, ଜୁବୁଲି ଆଚାର୍ଯ୍ୟଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।