ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ପାଟଣାଗଡ଼ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ପାଟଣାଗଡ଼,୨୧।୬ (ଡି.ଏନ୍‌.ଏ.): ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ସ୍ଥାପନକୁ ନେଇ ଶୁକ୍ରବାରଠାରୁ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ପାଟଣାଗଡ଼ ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ବିଗତ ୯ ମାସ ଧରି ସିଜ୍‌ୱାର୍କ କରାଯାଇଥିଲେ ସୁଦ୍ଧା ସରକାରଙ୍କ ଉଦାସୀନତା ଯୋଗୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପୁନଃସ୍ଥାପନ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ପାରିନାହିଁ। ଆଗାମୀ ୩୦ ତାରିଖ ସୁଦ୍ଧା ଯଦି ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ଆଗାମୀ ଦିନରେ ବିଧାନ ସଭା ଘେରାଉ କରାଯିବ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ହାଇକୋର୍ଟ ମଧ୍ୟ ଘେରାଉ କରାଯିବ ବୋଲି ଓକିଲମାନେ କହିଛନ୍ତି। ପାଟଣାଗଡ଼ କୋର୍ଟ ପରିସରରେ ଥିବା ଉପ ଜିଲାପାଳଙ୍କ କାର୍ଯ୍ୟାଳୟ, ତହସିଲଦାରଙ୍କ କାର୍ଯ୍ୟାଳୟକୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯିବ ବୋଲି ସେମାନେ କହିଛନ୍ତି। କୋର୍ଟ ସମ୍ମୁଖରେ ତାଲା ଦେଇ ଓକିଲ ପିକେଟିଂ କରିଥିଲେ। ଓକିଲ ସଂଘ ସଭାପତି ବିପିନ ବିହାରୀ ପାଣିଗ୍ରାହୀ, ସମ୍ପାଦକ ସୁବାସ ଆଚାର୍ଯ୍ୟ, ଦର୍ପଗଞ୍ଜନ ପଟ୍ଟନାୟକ, ଆନନ୍ଦ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।