Categories: ଜାତୀୟ

ହାଇଟେକ୍‌ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ସେନା: ୨୦୨୦ ସୁଦ୍ଧା ୧୩ ଇଣ୍ଟିଗ୍ରେଟେଡ୍‌ ବାଟେଲ ଗ୍ରୁପ୍‌ ହେବେ ମୁତୟନ

ନୂଆଦିଲ୍ଲୀ,୧୬।୧୨: ଭାରତୀୟ ସେନା ହାଇଟେକ୍‌ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଏହାକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ରଣନୀତିରେ କେତେକ ପରିବର୍ତ୍ତନ କରାଯାଉଛି। ଏହା ଅନ୍ତର୍ଗତ ୨୦୨୦ ସୁଦ୍ଧା ୧୩ ଇଣ୍ଟିଗ୍ରେଟେଡ୍‌ ବାଟେଲ ଗ୍ରୁପ୍‌ଙ୍କୁ ମୁତୟନ କରାଯିବ। ସେଥିମଧ୍ୟରୁ ୪ ଗ୍ରୁପ୍‌କୁ ଭାରତ-ପାକିସ୍ତାନ ସୀମାରେ ମୁତୟନ କରାଯିବ। ଅବଶିଷ୍ଟ ୯ ଗ୍ରୁପ୍‌କୁ ଭାରତ- ଚାଇନା ସୀମାରେ ମୁତୟନ କରାଯିବାର ଯୋଜନା ରହିଛି। ଏହାଦ୍ୱାରା ଯୁଦ୍ଧ କମ୍‌ ସମୟ ପାଇଁ ଶୀଘ୍ର ଲକ୍ଷ୍ୟପ୍ରାପ୍ତି ଲାଗି ଲଢ଼ାଯିବ। କାରଣ ଅନ୍ତର୍ଜାତୀୟ ଚାପ ଯୋଗୁ ଭବିଷ୍ୟତରେ ଯୁଦ୍ଧ ଅଧିକ ଦିନ ଧରି ଚାଲିପାରିବ ନାହିଁ। ତେଣୁ ଭାରତୀୟ ସେନା ହାଇଟେକ୍‌ ଯୁଦ୍ଧ ଶୈଳୀକୁ ଆପଣେଇବାର ଅଭ୍ୟାସ କରୁଛି। ଏହା  ସେନା ମୁଖ୍ୟ ବିପିନ୍‌ ରାଓ୍ବତଙ୍କ ଯୋଜନାର ଅଂଶ ବିଶେଷ। ସମ୍ପ୍ରତି ଭାରତୀୟ ସେନାକୁ କୋର୍‌, ଡିଭିଜନ ଏବଂ ବ୍ରିଗେଡ୍‌ରେ ବିଭକ୍ତ କରାଯାଇଛି। ବ୍ରିଗେଡ୍‌ରେ ୩ ବାଟାଲିୟନ୍‌ ଥିବାବେଳେ ଡିଭିଜନ୍‌ରେ ୩ ବ୍ରିଗେଡ୍‌ ଏବଂ କୋର୍‌ରେ ୩ ଡିଭିଜନ ରହିଛି। ଯୁଦ୍ଧ ସମୟରେ ଶତ୍ରୁର ନିକଟତର ହେବା ପାଇଁ କୋର୍‌ର ଆବଶ୍ୟକତା ରହିଥାଏ। ତେବେ ଇଣ୍ଟିଗ୍ରେଟେଡ୍‌ ବାଟେଲ ଗ୍ରୁପ୍‌ ମୁତୟନ ଦ୍ୱାରା ଯୁଦ୍ଧ ରଣନୀତି ସହଜ ହୋଇ ପାରିବ ବୋଲି କୁହାଯାଉଛି।

Share