ନୂଆଦିଲ୍ଲୀ,୧୨।୪: ବର୍ତ୍ତମାନ ସମୟରେ ସାରା ବିଶ୍ୱ କରୋନାକୁ ହରାଇବାରେ ଲାଗି ପଡିଥିବା ବେଳେ ଏପର୍ଯ୍ୟନ୍ତ ଏହାପାଇଁ କୌଣସି ସଠିକ ଔଷଧ ମିଳିପାରି ନାହିଁ। ତେବେ ଏହାର ଚିକିତ୍ସା ପାଇଁ ମେଲେରିଆରେ ବ୍ୟବହାର କରାଯାଉଥିବା ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନର ବ୍ୟବହାର କରାଯାଇପାରିବ ବୋଲି କିଛି ଗବେଷଣାରୁ ଜଣାପଡିଲା। ଏହାପରେ ଏହି ଔଷଧର ଡିମାଣ୍ଡ ବଢିଯାଇଥିବା ଦେଖାଯାଇଛି। ହେଲେ ଏହାକୁ ନେଇ ଦିଲ୍ଲୀସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)ର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ହାଇଡ୍ରୋକ୍ସିକ୍ଲୋରୋକୁଇନ ଦ୍ୱାରା ସବୁ କରୋନା ସଂକ୍ରମିତଙ୍କର ଚିକିତ୍ସା କରାଯାଇ ପାରିବ ନାହିଁ। କାରଣ ଏହାର ପାର୍ଶ୍ୱ ପ୍ରତିକ୍ରିୟା ରହିଛି। କେତେଗୁଡିଏ ଲ୍ୟାବ କହୁଛି ହାଇଡ୍ରୋକ୍ସିକ୍ଲୋରୋକୁଇନ କରୋନା ଚିକିତ୍ସାରେ ପ୍ରଭାବ ପକାଇବ ହେଲେ ଏହା ସମ୍ପୂର୍ଣ୍ଣ ଭରସାଯୋଗ୍ୟ ନୁହେଁ ବୋଲି ଗୁଲେରିଆ କହିଛନ୍ତି। ତେବେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏହା କାମ କରିପାରେ କିନ୍ତୁ ଏହାଦ୍ୱାରା ହୃଦସ୍ପନ୍ଦନ ବଢିଯିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।