ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବ୍ୟବହାର ପାଇଁ ଡାକ୍ତରୀ ପରାମର୍ଶ ଜରୁରୀ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କୋଭିଡ୍‌-୧୯ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ (ଏଚ୍‌ସିକ୍ୟୁ) ପରି ଔଷଧ ବାବଦରେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଔଷଧ ବ୍ୟବହାର ନ କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ମୁଖପାତ୍ର(କୋଭିଡ୍‌-୧୯) ସୁବ୍ରତୋ ବାଗ୍‌ଚୀ ଗୁରୁବାର ଏହା କହିଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ଦୃଢ଼ତାର ସହ ମୁକାବିଲା ପାଇଁ ସରକାର ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ସହ ଡାକ୍ତରଙ୍କ ସ୍ବତନ୍ତ୍ର ତାଲିମ ଉପରେ ଗୁରୁତ୍ୱ ଦେଉଛନ୍ତି। କରୋନା ସନ୍ଦିଗ୍ଧଙ୍କୁ ଆଇସିୟୁର ଆବଶ୍ୟକତା ପଡ଼ିଲେ କିପରି ଚିକିତ୍ସା କରାଯିବ, ସେ ନେଇ ବିଭିନ୍ନ ଜିଲାର ଡାକ୍ତରଙ୍କୁ ଏସ୍‌ସିବି ମେଡିକାଲ୍‌ କଲେଜ(କଟକ)ରେ ପ୍ରଶିକ୍ଷଣ ଦିଆଯାଉଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରି ବାଗ୍‌ଚୀ କହିଛନ୍ତି ଯେ, ବୁଧବାର ମଧ୍ୟରାତ୍ର ସୁଦ୍ଧା ରାଜ୍ୟରେ ୬୭୩୪ଟି କୋଭିଡ୍‌-୧୯ ନମୁନା ପରୀକ୍ଷା କରାଯାଇଛି। ତନ୍ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ନମୁନା ସଂଗ୍ରହରୁ ପଜିଟିଭ୍‌ ବ୍ୟକ୍ତିଙ୍କ ପ୍ରତିଶତ ହାର ମାତ୍ର ୦.୮୯ ରହିଛି। ପୂର୍ବରୁ ସଂକ୍ରମିତ ହୋଇଥିବା ୧୯ ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରି ସାରିଛନ୍ତି। ଏଯାବତ୍‌ ଜଣେମାତ୍ର କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି ା ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୦ ରହିଛି। କେବଳ ଗୁରୁବାର ୧୧୯୭ଟି କୋଭିଡ୍‌-୧୯ ନମୁନା ପରୀକ୍ଷା କରାଯାଇଛି। ପରୀକ୍ଷା ସଂଖ୍ୟା ଦୃଷ୍ଟିରୁ ଏହା ବର୍ତ୍ତମାନ ସୁଦ୍ଧା ସର୍ବୋଚ୍ଚ ରହିଛି।

Share