‘ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଫଳପ୍ରଦ ହୋଇ ନ ପାରେ’

ବେଜିଂ, ୧୭।୪: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏକ ଉପାଦେୟ ଔଷଧ ବୋଲି ଭାରତ ସମେତ ଅନେକ ରାଷ୍ଟ୍ର ଏହାର ବ୍ୟବହାର ଉପରେ ଜୋର ଦେଉଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ବ୍ରାଜିଲ ପ୍ରତିପକ୍ଷ ଜୈର ବୋଲସୋନାରୋ ମଧ୍ୟ ଏହି ମ୍ୟାଲେରିଆ ନିରୋଧୀ ଔଷଧକୁ ସମର୍ଥନ କରି ନିଜ ରାଷ୍ଟ୍ର ପାଇଁ ଏହାକୁ ଭାରତରୁ ମଗାଇସାରିଛନ୍ତି। ହେଲେ କୋଭିଡ୍‌-୧୯ ମୁକାବିଲା ଦିଗରେ ଶସ୍ତାରେ ମିଳୁଥିବା ଏହି ଔଷଧ ଫଳପ୍ରଦ ହୋଇ ନ ପାରେ ବୋଲି ଚାଇନାର ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି।
ମ୍ୟାଲେରିଆରୁ ଉପଶମ ପାଇବା ସକାଶେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବ୍ୟବହାର କରାଯାଇଥାଏ। ଏପରି କି ଗଣ୍ଠିବାତ ରୋଗୀ ଅନ୍ୟ କୌଣସି ଔଷଧ ଦ୍ୱାରା ସୁଫଳ ନ ପାଇଲେ ଏହାକୁ ସେବନ କରିଥାଆନ୍ତି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫ୍‌ଡିଏ) ଏହି ମ୍ୟାଲେରିଆ ନିରୋଧୀ ଔଷଧକୁ କରୋନା ଭାଇରସ୍‌ ମୁକାବିଲା ଲାଗି ଅବ୍ୟର୍ଥ ବୋଲି ଚିହ୍ନଟ କରିସାରିଛି। କିନ୍ତୁ ଚାଇନାର ଗବେଷକମାନେ ୧୫୦ ହସ୍ପିଟାଲ ଓ ୧୬ଟି ସରକାରୀ ମାନ୍ୟତାପ୍ରାପ୍ତ କୋଭିଡ୍‌-୧୯ କେନ୍ଦ୍ରର ରୋଗୀଙ୍କ ଉପରେ ପରୀକ୍ଷାନିରୀକ୍ଷା କରିବା ପରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ଉପାଦେୟ ହୋଇ ନ ପାରେ ବୋଲି ମେଡ୍‌ରିକ୍ସଭ୍‌ରେ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡ଼ିଛି। ଚଳିତ ମାସ ପ୍ରାରମ୍ଭରେ କାନାଡିଆନ୍‌ ମେଡିକାଲ ଆସୋସିଏଶନ ଜର୍ନାଲରେ ପ୍ରକାଶ ପାଇଥିଲା ଯେ, କୋଭିଡ୍‌-୧୯ ସଂକ୍ରମଣ ରୋକିବା ଲାଗି କ୍ଲୋରୋକୁଇନ୍‌, ହାଇଡ୍ରୋକ୍ସିକ୍ଲୋରୋକୁଇନ ଏବଂ ଆଜିଥ୍ରୋମାଇସିନ୍‌ ବ୍ୟବହାର ସେଭଳି ଉପାଦେୟ ହେଉ ନ ଥିବା ସତ୍ତ୍ୱେ ତାହାର ବ୍ୟବହାର କରାଯାଉଛି। କିନ୍ତୁ ଡାକ୍ତର ଓ ରୋଗୀମାନେ ଏହାର ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାକୁ ହୃଦୟଙ୍ଗମ କରିବା ଉଚିତ ବୋଲି କୁହାଯାଇଛି। ଏହାକୁ ବହୁଳ ଭାବେ ବ୍ୟବହାର କରାଗଲେ ତାହା ହୃତ୍‌ପିଣ୍ଡ, ରକ୍ତ ଶର୍କରା ଅଂଶ ସ୍ବାଭାବିକଠାରୁ କମ୍‌ କରିବା ସହ ମଣିଷକୁ ହୃଦ୍‌ଘାତ ଓ କୋମା ସ୍ତରକୁ ନେଇଯିବ ବୋଲି ଗବେଷକମାନେ ମତ ଦେଇଛନ୍ତି।
ଅନ୍ୟପକ୍ଷରେ ଚାଇନା କୋଭିଡ୍‌-୧୯ର ଚିକିତ୍ସା ପାଇଁ ବିକଳ୍ପ ଔଷଧ ଅନୁସନ୍ଧାନରେ ରହିଛି ବୋଲି କିଛିଦିନ ତଳେ ରିପୋର୍ଟ ପ୍ରକାଶ ପାଇଥିଲା। ଆମେରିକା ଭଳି ରାଷ୍ଟ୍ର ଭାରତଠାରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ନେଇ ତା’ର ରୋଗୀଙ୍କ ଜୀବନ ବଞ୍ଚାଇବାକୁ ପ୍ରୟାସ କରିଥିବାରୁ ଚାଇନା ତା’ର ଗବେଷକମାନଙ୍କୁ ଏଭଳି ରିପୋର୍ଟ ପ୍ରକାଶ କରିବାକୁ ପ୍ରବର୍ତ୍ତାଇଛି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କାରଣ ଚାଇନା କରୋନାର ମୁକାବିଲା ପାଇଁ ଧନୀ ରାଷ୍ଟ୍ରଗୁଡ଼ିକୁ କିଟ୍ସ, ଗ୍ଲୋବ୍ସ, ଭେଣ୍ଟିଲେଟର ଓ ଅନ୍ୟ ଜୀବନ ରକ୍ଷାକାରୀ ଉପକରଣ ରପ୍ତାନି କରି ବିପୁଳ ଅର୍ଥ ଉପାର୍ଜନ କରିବା ସହ ତା’ର ଅର୍ଥନୀତିକୁ ସଜାଡ଼ୁଛି।

Share