ହାଇଦ୍ରାବାଦକୁ ପର୍ଯ୍ୟଟନ ମନ୍ତ୍ରୀ ମହିଳାଙ୍କୁୁ ନେବା ପ୍ରସଙ୍ଗ: ବିଧାନସଭାରେ କଂଗ୍ରେସର ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଦ୍ୱାରା ହାଇଦ୍ରାବାଦରେ ଆୟୋଜିତ ରୋଡ ଶୋ’କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଦୁଇଜଣ ମହିଳାଙ୍କୁ ସାଙ୍ଗରେ ନେଇଥିଲେ। ସରକାରୀ ଅର୍ଥରେ ଉକ୍ତ ଦୁଇ ମହିଳାଙ୍କୁ ହାଇଦ୍ରାବାଦ କାହିଁକି ନିଆଯାଇଥିଲା। କେନ୍ଦ୍ରାପଡ଼ାର ସାରଥୀ ବାବା ଜଣେ ଝିଅଙ୍କୁ ସାଙ୍ଗରେ ନେଇଥିଲେ ବୋଲି ତାଙ୍କୁ ଗିରଫ କରି ଜେଲ ପଠାଗଲା। ପର୍ଯ୍ୟଟନ ମନ୍ତ୍ରୀ ଦୁଇଜଣ ମହିଳାଙ୍କୁ ସାଙ୍ଗରେ ନେଇଥିଲେ ମଧ୍ୟ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ। ତୁରନ୍ତ ସେ ମନ୍ତ୍ରୀପଦରୁ ଇସ୍ତଫା ଦିଅନ୍ତୁ ବୋଲି ଏଭଳି ସଙ୍ଗିନ ଅଭିଯୋଗ ଆଣି କଂଗ୍ରେସ ସଦସ୍ୟମାନେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି।

ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ୨୦୧୯ ଅକ୍ଟୋବର ୪ ତାରିଖରେ ପର୍ଯ୍ୟଟନ ମନ୍ତ୍ରୀ ଦୁଇଜଣ ମହିଳାଙ୍କୁ ହାଇଦ୍ରାବାଦ ନେଇଥିଲେ। କେଉଁ ଅଧିକାର ବଳରେ ମନ୍ତ୍ରୀ ଉଭୟଙ୍କୁ ସାଙ୍ଗରେ ନେଇଥିଲେ ଓ ସରକାରୀ ଅର୍ଥ ଖର୍ଚ୍ଚ କରିଥିଲେ। ସେ ସମ୍ପର୍କରେ ସରକାର ଗୃହରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେ ଦାବି କରିଥିଲେ।

ମନ୍ତ୍ରୀଙ୍କ ଇସ୍ତଫା ଦାବି କରି କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ ଏବଂ ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପ୍ରବଳ ହଟ୍ଟଗୋଳ ଯୋଗୁ ବାଚସ୍ପତି ୧୨.୧୧ ମିନିଟରୁ ଗୃହକୁ ଅଧଘଣ୍ଟା ପାଇଁ ମୁଲତବୀ ଘୋଷଣା କରିଥିଲେ। ୧୨.୪୧ ମିନିଟ୍‌ରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହୋ-ହଲ୍ଲା କରିଥିଲେ। ପରିସ୍ଥିତି ଅସମ୍ଭାଳ ହେବାରୁ ବାଚସ୍ପତି ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ସମ୍ଭବ ହୋଇ ନ ଥିଲା। ଶେଷରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୨.୪୨ରୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି।

Share