ହାଇଦ୍ରାବାଦରୁ ଚାଲିଚାଲି ଆସୁଥିବା ଶ୍ରମିକଙ୍କ ରାସ୍ତାରେ ଜୀବନ ଗଲା

 

ମାଲକାନଗିରି,୧୩ା୫ (ଡି.ଏନ୍‌.ଏ.): କରୋନା ସାରା ବିଶ୍ୱରେ ଅନେକ ପରିବାରକୁ ଉଜାଡି ଦେଇଛି। ଏଥିରେ ଆକ୍ରାନ୍ତ ହୋଇ ଅନେକଙ୍କ ମୃତ୍ୟୁ ଘଟିଛି। ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ଅନ୍ୟ ରାଜ୍ୟରେ ରହି କାର୍ଯ୍ୟ କରୁଥିବା ଶ୍ରମିକ। ଲକ୍‌ଡାଉନ ପରେ ବିଭିନ୍ନ କଳକାରଖାନା, ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯିବାରୁ ନିଜ ରାଜ୍ୟକୁ କିମ୍ବା ଜିଲାକୁ ସେମାନେ ଚାଲିଚାଲି ଆସୁଥିବା ଦେଖିବାକୁ ମିଳୁଛି। ଏପରି ଚାଲିଚାଲି ନିଜ ଗ୍ରାମକୁ ଆସୁଥିବା ବେଳେ ରାସ୍ତାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ କସା ମାଡକାମି (୨୨)। ସେ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଚିଡିପାଲ୍ଲୀ ପଞ୍ଚାୟତର ଟାଙ୍ଗିଣିତଙ୍ଗ ଗ୍ରାମକୁ ଚାଲିଚାଲି ଆସୁଥିଲେ। ଖବରରୁ ଜଣାପଡିଛି କସା ଜଣେ ମଧ୍ୟସ୍ଥଙ୍କ ମାଧ୍ୟମରେ ଯାଇ ହାଇଦ୍ରାବାଦରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଲକଡାଉନ ଯୋଗୁ ସେଠାରେ କାର୍ଯ୍ୟ ବନ୍ଦ ହୋଇଯିବାରୁ ଗାଡିମୋଟର ଚଳାଚଳ ବନ୍ଦ ହୋଇଯାଇଥିଲା। ଫଳରେ କସା ଏବଂ ତାଙ୍କ ସାଥୀମାନେ ଆଉ ଗ୍ରାମକୁ ଫେରି ପାରି ନ ଥିଲେ। ଦୀର୍ଘ ଦେଢ ମାସ ହେଲା ହାଇଦ୍ରାବାଦରେ ରହି ଖାଦ୍ୟ ଅଭାବରେ ଛଟପଟ ହେଉଥିଲେ। ଶେଷରେ ସାହସ ବାନ୍ଧି ଦୀର୍ଘ ୫୦୦ କିଲୋମିଟର ୪ଜଣ ଶ୍ରମିକ ମାଲକାନଗିରି ଚାଲିଚାଲି ଆସିବା ପାଇଁ ବାହାରିଥିଲେ। ମଙ୍ଗଳବାର ରାତିରେ ସେମାନେ ତେଲେଙ୍ଗାନାର ଭଦ୍ରାଚଳମ୍‌ରେ ପହଞ୍ଚତ୍ଥିଲେ। ସେତେବେଳକୁ କସା ଅସୁସ୍ଥ ହୋଇପଡିଥିଲେ। ରାତି ୩ଟାରେ କସାଙ୍କ ମୃତ୍ୟୁ ହୋଇ ଯାଇଥିଲା। ପରେ ସାଥୀ ଶ୍ରମିକମାନେ ୧୦୧ ଆମ୍ବୁଲାନ୍ସକୁ ଫୋନ କରି ଜଣାଇବା ପରେ ଭଦ୍ରାଚଳମ ପୋଲିସ ପହଞ୍ଚତ୍ ଡାକ୍ତରଖାନା ନେଇଥିଲେ। ଡାକ୍ତର ସେଠାରେ କସାଙ୍କୁ ମୃତ ଘୋଷଣା କରିଥିଲେ। ପରେ ସାଥୀ ଶ୍ରମିକମାନେ ଏକ ଘରୋଇ ଆମ୍ବୁଲାନ୍ସ ଭଡାକରି ମୃତଦେହ ଗ୍ରାମକୁ ନେଇଥିଲେ।

Share