ହାଇଦ୍ରାବାଦରେ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ଘଟଣାକୁ ଆଇନ୍‌ ମନ୍ତ୍ରୀଙ୍କ ସମର୍ଥନ: କହିଲେ ‘ଯାହା ହୋଇଛି ଉଚିତ୍‌ ହୋଇଛି’

ଭୁବନେଶ୍ୱର,୬।୧୨(ବ୍ୟୁରୋ): ନଭେମ୍ବର ୨୭ରେ ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ପରେ ତାଙ୍କ ମୃତଦେହକୁ ଜାଳିଦେବା ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ। ଶୁକ୍ରବାର ଏହି ଘଟଣା ଜଣାପଡ଼ିବା ପରେ ସାଧାରଣ ଜନତାଙ୍କ ସହ ବହୁ ବ୍ୟକ୍ତି ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯାଉଥିବା ବେଳେ କିଛି ଏହାକୁ ବିରୋଧ କରୁଛନ୍ତି। ଏହି କ୍ରମରେ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ସମର୍ଥନ କରିଛନ୍ତି।

ମନ୍ତ୍ରୀ ଜେନା କହିଛନ୍ତି, ସେମାନେ ବହୁତ ବଡ଼ ଦୋଷୀ। ତେଣୁ କଠୋର ଦଣ୍ଡ ମିଳିବାର ଥିଲା। ଏ ନେଇ ମାନବାଧିକାର କମିଶନ କ’ଣ କହିବେ ମୁଁ ଜାଣେନାହିଁ। ଅନ୍ୟ ଦେଶରେ ଏଭଳି ଅପରାଧ ପ୍ରତି କଠୋର ଦଣ୍ଡବିଧାନ ରହିଛି। କେଉଁଠି ଗୁଳି କରାଯାଉଛି ତ କେଉଁଠି ମୁଣ୍ଡ କାଟି ଦିଆଯାଉଛି। ଆମ ଦେଶରେ ମଧ୍ୟ କଠୋର ଆଇନ ହେବା ଉଚିତ। କେବଳ କୋର୍ଟ ଉପରେ ନିର୍ଭର କରି ଦିନ ଗଡ଼ାଇବା ଅପେକ୍ଷା ମୁଁ ଭାବୁଛି ସେମାନଙ୍କୁ କଠୋର ଦଣ୍ଡ ମିଳିବା ଦରକାର ଥିଲା। ମୁଁ ଭାବୁଛି ହାଇଦ୍ରାବାଦରେ ଯାହା ହୋଇଛି ଉଚିତ ହୋଇଛି। ଉଚିତ ପଦକ୍ଷେପ ନିଆଯାଇଛି। ସେମାନଙ୍କୁ ଦଣ୍ଡ ମିଳିଛି ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

ପ୍ରକାଶଯୋଗ୍ୟ, ଗୁରୁବାର ରାତିରେ ଉକ୍ତ ୪ ଅଭିଯୁକ୍ତ ଆରିଫ, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତାଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା। ସେଠାରୁ ସେମାନେ ଫେରାର ହେବାକୁ ଉଦ୍ୟମ କରିବା ବେଳେ ପୋଲିସ ସେମାନଙ୍କୁ ଧରିବା ପାଇଁ ଗୁଳି ଚଳାଇଥିଲା। ଏଥିରେ ସେମାନଙ୍କ ମୃତ୍ୟୁ ଘଟିଛି।

Share