Categories: ଜାତୀୟ

ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲା: ତଦନ୍ତ ଲାଗି ଏସ୍‌ଆଇଟି ଗଠିତ

ହାଇଦ୍ରାବାଦ, ୧୦ା୧୨: ପ୍ରାଣୀ ଚିକିତ୍ସକ ପ୍ରିୟଙ୍କା ରେଡ୍ଡୀ ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ତେଲଙ୍ଗାନା ପୋଲିସ ଏନ୍‌କାଉଣ୍ଟର କରି ମାରିବା ଘଟଣାର ତଦନ୍ତ ଲାଗି ରାଜ୍ୟ ସରକାର ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରିଛନ୍ତି। ଅଭିଯୁକ୍ତଙ୍କ ଉପରେ ପୋଲିସ ଗୁଳିମାଡ଼ର କାରଣ ଓ କେଉଁ ପରିସ୍ଥିତି ପୋଲିସକୁ ଗୁଳି ଚଳାଇବା ଲାଗି ବାଧ୍ୟ କଲା, ସେନେଇ ତଦନ୍ତ ହେବ ବୋଲି ଜଣାପଡ଼ିଛି। ପ୍ରକୃତରେ ଅଭିଯୁକ୍ତମାନେ ବନ୍ଧୁକ ଛଡ଼ାଇ ପୋଲିସ ଉପରକୁ ଗୁଳିମାଡ଼ କରିଛନ୍ତି କି ନାହିଁ, ତା‘ର ମଧ୍ୟ ତଦନ୍ତ ହେବ। ରଚକୋଣ୍ଡା ପୋଲିସ କମିଶନର ମହେଶ୍‌ ଏମ୍‌ ଭଗଓ୍ବତ୍‌ଙ୍କ ନେତୃତ୍ୱରେ ଗଠିତ ୮ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଏହାର ଟିକିନିଖି ତଦନ୍ତ କରିବ। ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ଅନୁଯାୟୀ ଏହାର ତଦନ୍ତ କରାଯିବ। ତଦନ୍ତ ଶେଷହେବା ପରେ ଏସ୍‌ଆଇଟି ରିପୋର୍ଟ କୋର୍ଟରେ ଦାଖଲ କରିବ।
ଏନ୍‌କାଉଣ୍ଟର ମାମଲାରେ ଜାତୀୟ ମାନବାଧିକାର ସୁରକ୍ଷା କମିଶନ (ଏନ୍‌ଏଚ୍‌ଆର୍‌ସି) ପକ୍ଷରୁ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହାର ୭ଜଣିଆ କମିଟି ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ ଘଟଣାର ସତ୍ୟତା ଲୋକଲୋଚନକୁ ଆସିବ ବୋଲି କୁହାଯାଉଛି।

Share