Categories: ଜାତୀୟ

ହାଇଦ୍ରାବାଦ ଏନ୍‌କାଉଣ୍ଟରରେ ପୋଲିସକୁ ଝଟ୍‌କା: ମାମଲାର ଯାଞ୍ଚ କରିବେ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି

ହାଇଦ୍ରାବାଦ,୧୧।୧୨: ହାଇଦ୍ରାବାଦରେ ଭେଟେରିନାରି ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟାରେ ସାମିଲ ଥିବା ୪ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ଘଟଣା। ଏହି ମାମଲାର ଯାଞ୍ଚ କରିବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି। ବୁଧବାର କୋର୍ଟ ଉକ୍ତ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି। ତେବେ ଯାଞ୍ଚ ପାଇଁ ଏବେ ପର୍ଯ୍ୟନ୍ତ ବିଚାରପତିଙ୍କ ନାମ ଚୟନ କରାଯାଇ ନ ଥିବା ଜଣାପଡ଼ିଛି। ତେବେ ଏହାର ପରବର୍ତ୍ତି ଶୁଣାଣି ଗୁରୁବାର କରାଯିବ। ସୂଚନାଯୋଗ୍ୟ, ଗତ ଶୁକ୍ରବାର ହାଇଦ୍ରାବାଦରେ ଗଣବଳାତ୍କାର ଓ ହତ୍ୟାରେ ସାମିଲ ଥିବା ୪ଜଣ ଅଭିଯୁକ୍ତଙ୍କୁ ପୋଲିସ ଏନ୍‌କାଉଣ୍ଟର କରିଥିଲା। ପୋଲିସର ଏହି କାର୍ଯ୍ୟକୁ କେତେକ ପ୍ରଶଂସା କରିଥିବା ବେଳେ ଆଉ କେତେଜଣ ପ୍ରଶ୍ନ ଉଠାଇଥିଲେ। ଏହାପରେ ସାଇବରାବାଦ ପୋଲିସଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ଏଥିସହ ଏହି ମାମଲାର ଯାଞ୍ଚ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏସ୍‌ଆଇଟି ଗଠନ ପାଇଁ ମଞ୍ଜୁରୀ ଦେଇଥିଲେ। ରଚକୋଣ୍ଡାର ପୋଲିସ କମିଶନର ମହେଶ ଏମ୍‌ ଭାଗବତଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଟିମ୍‌ ଏନ୍‌କାଉଣ୍ଟର ସହ ଜଡିତ ଥିବା ସମସ୍ତ ତଥ୍ୟ ଉପରେ ଯାଞ୍ଚ କରୁଛି।

Share