Categories: ଖେଳ

ହାଇଦ୍ରାବାଦ ଓପନ୍‌ ଟାଇଟଲ ଜିତିଲେ ସୌରଭ

ହାଇଦ୍ରାବାଦ,୧୧।୮(ପି.ଟି.)- ଜାତୀୟ ଚାମ୍ପିୟନ ସୌରଭ ବର୍ମା ଏଠାରେ ଅନୁଷ୍ଠିତ ହୋଇଥିବା ହାଇଦ୍ରାବାଦ ଓପନ ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ୨୬ ବର୍ଷୀୟ ସୌରଭ ସିଙ୍ଗାପୁରର ଲୋହ କିଏନ ୟେଙ୍କୁ ହରାଇ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି।
ଗତ ମେ’ରେ ସ୍ଲୋଭେନିଆରେ ଟାଇଟଲ ଜିତିଥିବା ମଧ୍ୟପ୍ରଦେଶର ସୌରଭ ଟାଇଟଲ ମୁକାବିଲାରେ ଦମ୍‌ଦାର ପ୍ରଦର୍ଶନ କରି ବଶ୍ୱର ୪୪ ନମ୍ବର ଖେଳାଳି କିଏନ ୟେଙ୍କୁ ମାତ୍ର ୫୨ ମିନିଟ୍‌ରେ ୨୧-୧୩, ୧୪- ୨୧, ୨୧-୧୬ରେ ପରାସ୍ତ କରିଥିଲେ। ସ୍ଥାନୀୟ ଗାଚିବେଲି ଇନ୍‌ଡୋର ଷ୍ଟାଡିୟମରେ ଖେଳାଯାଇଥିବା ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମଳିଥିଲା। ପ୍ରଥମ ଗେମ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ସୌରଭ ଦ୍ୱିତୀୟ ଗେମ୍‌ରେ ପରାସ୍ତ ହୋଇଥିଲେ। ତେବେ ତୃତୀୟରେ ସୌରଭ ତ୍ରୁଟି ସୁଧାରି ମ୍ୟାଚ୍‌ ହାତେଇ ନେଇଥିଲେ। ସୌରଭ ଗତ ବର୍ଷ ଡଚ୍‌ ଓପନ୍‌ ଓ ରୁଷିଆନ ଓପନ୍‌ରେ ବାଜି ମାରି ଦୁଇଟି ସୁପର ୧୦୦ ଟାଇଟଲ ଜିତିଥିଲେ।

Share