Categories: ଖେଳ

ହାଇଦ୍ରାବାଦ ଓପନ୍‌: ଫାଇନାଲରେ ସୌରଭ, ଅଶ୍ୱିନୀ-ସିକ୍କି

ହାଇଦ୍ରାବାଦ, ୧୧ା୮ (ପି.ଟି.)- ଜାତୀୟ ଚାମ୍ପିୟନ ସୌରଭ ବର୍ମା ଏଠାରେ ଚାଲିଥିବା ହାଇଦ୍ରାବାଦ ଓପନ୍‌ ବିଡବ୍ଲ୍ୟୁଏଫ୍‌ ଟୁର୍‌ ସୁପର୍‌-୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ସେହିଭଳି ମହିଳା ଡବଲ୍ସରେ ଟପ୍‌ ସିଡ୍‌ ଅଶ୍ୱିନୀ ପୋନାପ୍ପା ଓ ଏନ୍‌. ସିକ୍କି ରେଡ୍ଡୀ ଯୋଡ଼ି ମଧ୍ୟ ଫାଇନାଲରେ ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି।
ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ମଧ୍ୟ ପ୍ରଦେଶର ୨୬ ବର୍ଷୀୟ ସୌରଭ ୨୩-୨୧, ୨୧-୧୬ ସିଧାସଳଖ ଗେମ୍‌ରେ ମାଲେସିଆର ଇସ୍କନ୍ଦର ଜୁଲକରନୈନଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ଜିତିବାକୁ ସୌରଭଙ୍କୁ ୪୮ ମିନିଟ୍‌ ସମୟ ଲାଗିଥିଲା। ସୌରଭ ଗତବର୍ଷ ଡଚ୍‌ ଓପନ୍‌ ସୁପର୍‌ ୧୦୦ ଓ ରୁଷିଆନ୍‌ ଓପନ୍‌ ସୁପର୍‌ ୧୦୦ ଟ୍ରଫି ଜିତିଥିଲେ। ଅପରପକ୍ଷରେ ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ଅଶ୍ୱିନୀ ଓ ସିକ୍କି ୨୧-୧୨, ୨୧-୧୨ ସିଧାସଳଖ ଗେମ୍‌ରେ ହଂକଂର ଫାନ୍‌ କା ୟାନ୍‌ ଓ ୟୁ ୟି ତିଙ୍ଗ୍‌ଙ୍କୁ ପରାସ୍ତ କରିଛନ୍ତି। ରବିବାର ଫାଇନାଲ ଅନୁଷ୍ଠିତ ହେବ।

Share