Advertisement
Categories: ଖେଳ

ହାଇଦ୍ରାବାଦ ବିପକ୍ଷରେ ଧୋନୀଙ୍କୁ ବିଶ୍ରାମ

ହାଇଦ୍ରାବାଦ, ୧୭।୪ (ପି.ଟି.)- ୨୦୧୦ ପରଠାରୁ ପ୍ରଥମଥର ପାଇଁ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ନେଇନାହାନ୍ତି। ବୁଧବାର ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ତାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ଅନୁପସ୍ଥିତିରେ ସୁରେଶ ରାଇନା ଦଳର ନେତୃତ୍ୱ ନେଇଛନ୍ତି। ଧୋନୀ ବିଶ୍ରାମ ନେବାକୁ ଚାହୁଁଥିଲେ ଓ ସେ ପରବର୍ତ୍ତୀ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ରାଇନା କହିଛନ୍ତି। ଆଘାତ ସମସ୍ୟାକୁ ଏଡାଇବା ପାଇଁ ସେ ଆଗୁଆ ଏପରି ନିଷ୍ପତ୍ତି ନେଇଛନ୍ତି। ଗତ କୋଲକାତା ବିପକ୍ଷ ମ୍ୟାଚ ଖେଳିବା ଅବସରରେ ସେ ପିଠିରେ ଆଘାତ ପାଇଥିଲେ। ତେବେ ଏହା ଗୁରୁତର ହୋଇ ନ ଥିଲେ ମଧ୍ୟ ସେ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ତରଫରୁ ସୂଚନା ଦିଆଯାଇଛି। ମ୍ୟାଚ୍‌ ପୂର୍ବରୁ ଧୋନୀ ଫୁଟବଲ ଖେଳିଥିବାର ଦେଖାଯାଇଥିଲା। ଏହା ପରେ ରାଇନା ଟସ୍‌ ପକାଇବାକୁ ଆସିଥିଲେ। ଆଇପିଏଲ୍‌ରେ ଚତୁର୍ଥଥର ପାଇଁ ଧୋନୀ କୌଣସି ମ୍ୟାଚ୍‌ ଖେଳୁନାହାନ୍ତି।