ହାଓଡା ଢୁଲାଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା: ୪ ମୃତ, ଜଣେ ଗୁରୁତର

ଭଦ୍ରକ ଅଫିସ, ୧୭।୭ – କଲିକତା ହାଓଡା ଢୁଲାଗଡ ଟୋଲପ୍ଲାଜା ନିକଟରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୪ ଜଣ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକମାନେ ଭଦ୍ରକ, ଖୋର୍ଦ୍ଧା ଓ ଯାଜପୁର ଜିଲାର ବୋଲି ଜଣାପଡ଼ିଛି। ଏହି ଯୁବକମାନେ ମଙ୍ଗଳବାର ଅପରାହ୍ନରେ ଏକ ବିବାହ ଭୋଜିରେ ଯୋଗଦେବାକୁ କଲିକତା ଯାଇଥିଲେ। ଫେରୁଥିବା ବେଳେ ଏକ ଟ୍ରଲର ଚକ ତଳେ ସେମାନଙ୍କ କାର୍‌ ପଶିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୃତକମାନଙ୍କ ମଧ୍ୟରେ ଭଦ୍ରକ କୁଅଁାସ ଅଞ୍ଚଳର ଦିଗ୍‌ବିଜୟ ଦାସ(୩୫) ଓରଫ୍‌ ଦିପୁ ଓ ଅନ୍ୟ ଜଣେ ଯାଜପୁର ବାସିନ୍ଦା କିନ୍ତୁ ଭଦ୍ରକ କୁଆଁସ ଅଞ୍ଚଳର ଜଣେ ଯୁବକଙ୍କ ଭଣଜା ମନୋଜ ମହାନ୍ତି ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଥିତ୍ବା ଖୋର୍ଦ୍ଧା ଅଞ୍ଚଳର କ୍ରୀଷ୍ଣା ରାଓଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଢୁଲାଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୨ ମୃତକ ହେଲେ ଖୋର୍ଦ୍ଧା ଜିଲା ଚନ୍ଦକା ଅଞ୍ଚଳର ଦିଲୀପ କୁମାର ନାୟକ ଓ ଶହୀଦନଗରର ପି ତେଜଶ୍ୱର ରାଓ ବୋଲି ଜଣାପଡିଛି। ୪ ମୃତଦେହକୁ ପଶ୍ଚିମବଙ୍ଗ ପୋଲିସ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଏହି ଘଟଣା କୁଆଁସ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ସୂଚନାଥାଉ କି, ଦିଗ୍‌ବିଜୟ ଜଣେ ଜିଲାସ୍ତରୀୟ କ୍ରିକେଟ ତାରକା ଥିଲେ।

Share