Categories: ଜାତୀୟ

ହାଓଡି ମୋଦିଙ୍କ ସହ ନେହେରୁ, ଇନ୍ଦିରାଙ୍କୁ ତୁଳନା କରି ଟ୍ରୋଲ ହେଲେ ଥରୁର

ନୂଆଦିଲ୍ଲୀ,୨୪।୯: କେରଳ ଥିରୁଭାନନ୍ତପୁରମ୍‌ର ଏମ୍‌ପି ତଥା କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବତ୍ତର୍ମାନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ସହ ତୁଳନା କରି ବିବାଦ ଘେରକୁ ଚାଲିଆସିଛନ୍ତି। ରବିବାର ହ୍ୟୁଷ୍ଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହୋଇଥିବା ସ୍ବାଗତକୁ ନେହେରୁ ଓ ଇନ୍ଦିରାଙ୍କ ସ୍ବାଗତ ସହ ତୁଳନା କରି ଥରୁର ଟ୍ରୋଲର ଶିକାର ହୋଇଛନ୍ତି। ଥରୁର ଟୁଇଟରରେ ଏକ ଫଟୋ ଶେୟାର କରି ଲେଖିଛନ୍ତି, ଦେଖନ୍ତୁ ୧୯୫୪ରେ ଆମେରିକାରେ କିଭଳି ନେହେରୁ ଓ ଇନ୍ଦିରାଙ୍କୁ ସ୍ବାଗତ କରାଯାଇଥିଲା। ବିନା କୌଣସି ଜନସମ୍ପର୍କ ଅଭିଯାନ ଏବଂ ଗଣମାଧ୍ୟମରେ କୌଣସି ପ୍ରଚାର ନ ହେବା ସତ୍ତ୍ୱେ ମଧ୍ୟ ଲକ୍ଷାଧିକ ଲୋକ ତାଙ୍କୁ ଭେଟିବାକୁ ଆସିଥିଲେ। ଥରୁରଙ୍କ ଏହି ଟୁଇଟ ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଇଥିଲା। ଉକ୍ତ ଫଟୋକୁ ବହୁ ୟୁଜର୍ସ ୧୯୫୬ର ମସ୍କୋ ଗସ୍ତ ସମୟର ବୋଲି ଦାବି କରିଛନ୍ତି। ତେବେ ସମାଲୋଚନା ହେବା ପରେ ଥରୁର ନିଜର ବୟାନ ବଦଳାଇ ଏହା ଆମେରିକାର ନୁହେଁ ବରଂ ସୋଭିଏଟ ସଂଘ ଗସ୍ତ ସମୟର ଫଟୋ ବୋଲି କହିଛନ୍ତି।

Share