ହାଓ୍ବଡାକୁ ସ୍ବାଭାବିକ ହେଉଛି ଟ୍ରେନ୍‌ ସେବା

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦେଶରେ ଆନ୍ଦୋଳନ ଓ ହିଂସା ଜାରି ରହିଥିବାରୁ ଟ୍ରେନ୍‌ ସେବା ଗୁରୁତର ପ୍ରଭାବିତ ହୋଇଛି। ତେବେ ଆସାମ ସ୍ଥିତିରେ ସେପରି ସୁଧାର ଆସି ନ ଥିବାବେଳେ ପଶ୍ଚିମବଙ୍ଗରେ କ୍ରମଶଃ ସ୍ବାଭାବିକ ହେଉଛି ଟ୍ରେନ୍‌ ଚଳାଚଳ। ହାଓଡ଼ା-ଖଡ଼ଗପୁର ରେଳ ସେକ୍ସନରେ ସୋମବାର ହାଓଡ଼ାକୁ ରେଳ ଚଳାଚଳ କରିଛି। କିନ୍ତୁ ସଂଲଗ୍ନ ଟ୍ରେନ୍‌ଗୁଡ଼ିକ ଫେରି ନ ଥିବାରୁ ପୂର୍ବଦିନ ଭଳି ବାତିଲ୍‌ କରାଯାଇଛି। ଆନ୍ଦୋଳନର ସ୍ଥିତିକୁ ଅନୁଧ୍ୟାନ କରାଯାଉଛି। ବିଭିନ୍ନ ଷ୍ଟେଶନରେ ଅଟକିଥିବା ଯାତ୍ରୀଙ୍କୁ ଅନ୍ୟ ଟ୍ରେନଗୁଡ଼ିକରେ ଯିବାର ବ୍ୟବସ୍ଥା କରାଯାଉଛି। ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଯାତ୍ରୀଙ୍କୁ ଭାୟା ଷ୍ଟେଶନଗୁଡ଼ିକରେ ଛଡ଼ାଯାଉଛି। ସେଠାରୁ ପୁଣି ଅନ୍ୟ ଟ୍ରେନ୍‌ କିମ୍ବା ସ୍ପେଶାଲ ଟ୍ରେନ୍‌ କରି ପଠାଇବାକୁ ଯୋଜନା କରାଯାଉଛି। ବିଶାଖାପାଟଣା ଷ୍ଟେଶନରେ ଗୁଆହାଟୀ ଯିବାକୁ ଅଟକି ଥିବା ୩୦୦ ଯାତ୍ରୀଙ୍କୁ ପ୍ରଶାନ୍ତି ଏକ୍ସପ୍ରେସ ଓ ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସରେ ଭୁବନେଶ୍ୱର ଅଣାଯିବା ପରେ ଏଠାରୁ ସେମାନଙ୍କୁ ପୁଣି ରାତିରେ ପୁରୀ-ହାଓଡ଼ା ଏକ୍ସପ୍ରେସ ଓ ଜଗନ୍ନାଥ ଏକ୍ସପ୍ରେସରେ ହାଓଡ଼ାକୁ ପଠାଯାଇଛି। ଏହା ଆଗକୁ ରହିଥିବା ଅଞ୍ଚଳରେ ବିରୋଧ ଓ ପ୍ରତିବାଦ ସହ ରେଳରୋକୋ ଜାରି ରହିଛି। ଯେଉଁସବୁ ସ୍ଥାନରେ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯାଇଛି, ସେଠାରେ ୨୪ ଘଣ୍ଟିଆ ସ୍ଥିତି ଅନୁଧ୍ୟାନ କରାଯାଉଛି। ସ୍ଥିତିରେ ସୁଧାର ଆସିଲେ ପ୍ରାଥମିକତା ଭାବେ ଷ୍ଟେଶନରେ ଅଟକି ରହିଥିବା ଯାତ୍ରୀଙ୍କୁ ପ୍ରଥମେ ନିୟମିତ ଟ୍ରେନରେ ଛଡ଼ାଯିବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି।
ଗତ ୧୩ ଓ ୧୪ ତାରିଖରୁ ଦେଶର ଟ୍ରେନ୍‌ ସେବା ସ୍ବାଭାବିକ ହୋଇପାରୁନି। ବିଶେଷକରି ଆସାମରେ ବିରୋଧ ଥମି ନ ଥିବାରୁ ସମସ୍ତ ଟ୍ରେନ୍‌ ବାତିଲ୍‌ ରହିଛି। ସୋମବାର ରାତିରେ ପୁରୀ-କାମାକ୍ଷା ଏକ୍ସପ୍ରେସକୁ ମଧ୍ୟ ବାତିଲ୍‌ କରାଯାଇଛି। ସେହିପରି ମଙ୍ଗଳବାର ପାଇଁ ଏର୍ନାକୁଲମ-ହାଓଡ଼ା ଏକ୍ସପ୍ରେସ, ଗୁଆହାଟୀ-ବେଙ୍ଗାଲୁରୁ କ୍ୟାଣ୍ଟ ଏକ୍ସପ୍ରେସ, ଅଗରତାଲା-ବେଙ୍ଗାଲୁରୁ କ୍ୟାଣ୍ଟ ଏକ୍ସପ୍ରେସ ଓ ଗୁରୁବାର ଗୁଆହାଟୀ-ସିକନ୍ଦରାବାଦ ଏକ୍ସପ୍ରେସ ବାତିଲ୍‌ କରାଯାଇଛି।

Share