Categories: ଜାତୀୟ

‘ହାଓ୍ବଡି ମୋଦି ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ କରିବ’

ନୂଆଦିଲ୍ଲୀ, ୨୧ା୯(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଓ ସେଠାରେ ଆୟୋଜନ ହେବାକୁ ଥିବା ‘ହାଓ୍ବଡି ମୋଦି’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତାଲୋଚନା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ କରିବ। ଆମେରିକା ଗସ୍ତ ପୂର୍ବରୁ ମୋଦି ଶୁକ୍ରବାର ଏହା କହିଛନ୍ତି। ହଷ୍ଟନରେ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ମୋଦିଙ୍କୁ ଅଭିନନ୍ଦନ ଜଣାଇବା ଲାଗି ୨୨ରେ ‘ହାଓ୍ବଡି ମୋଦି’ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିରେ ୫୦ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଭାରତୀୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ମେଗା ଇଭେଣ୍ଟରେ ବିଶ୍ୱର ବୃହତ ଓ ପୁରାତନ ଗଣତାନ୍ତ୍ରିକ ରାଷ୍ଟ୍ରର ଦୁଇ ନେତା ଏକାଠି ହେବେ। ଟ୍ରମ୍ପ ଏଥିରେ ଭାଗ ନେଇ କେତେକ ଘୋଷଣା କରିବେ ବୋଲି ଜଣାପଡ଼ିଛି। ଭାରତ ଓ ଆମେରିକ ମଧ୍ୟରେ ଶକ୍ତିକ୍ଷେତ୍ରରେ ସହଯୋଗ ନେଇ ଦୁଇ ନେତାଙ୍କ ଆଲୋଚନା ହେବ। ଆମେରିକାର ପ୍ରମୁଖ ଶକ୍ତି କମ୍ପାନୀଗୁଡ଼ିକର ସିଇଓଙ୍କ ସହ ମଧ୍ୟ ମୋଦି ଆଲୋଚନା କରିବେ ବୋଲି ଜଣାପଡ଼ିଛି।
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ୱ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜାତିସଂଘରେ ଆୟୋଜନ ହେବାକୁ ଥିବା ଜଳବାୟୁ ସମ୍ମିଳନୀରେ ମୋଦି ଯୋଗଦେବେ। ଏଥିସହ ୨୭ରେ ଜାତିସଂଘ ସାଧାରଣ ପରିଷଦରେ ସେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

Share