ହାଟଡ଼ିହୀ ବ୍ଲକରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

ହାଟଡ଼ିହୀ,୧୩।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଶାଳଣିଆ ପଞ୍ଚାୟତ ଏଲକଣିଆ ଗ୍ରାମରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ସେ ହେଲେ ମୋହନ ବେହେରାଙ୍କ ପୁଅ ବାମଦେବ(୧୯)। ବାମଦେବ ବାହାର ରାଜ୍ୟରେ ରହି କାର୍ଯ୍ୟ କରନ୍ତି। ଦେହ ଅସୁସ୍ଥ ହେବାରୁ ଅଳ୍ପଦିନ ତଳେ ସେ ଘରକୁ ଆସିଥିଲେ। ଗତ ଗୁରୁବାର ଭଦ୍ରକରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପରେ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ହାଟଡ଼ିହୀ ବ୍ଲକର ମୁଖ୍ୟ ଡାକ୍ତରଖାନା ଶାଳଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଶାଳଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଏହି ଗ୍ରାମର ଦୂରରେ ପ୍ରାୟ ୧ କି.ମି.। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ତରଫରୁ କୌଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରା ନ ଯିବା ମୁଖ୍ୟ ପ୍ରସଙ୍ଗ ସାଜିଛି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ପ୍ରାୟ ୨୧୭ଟି ଗ୍ରାମ ଥିବା ବେଳେ ଏହି ବ୍ଲକ ଏକ ଆଦିବାସୀ ବ୍ଲକ ଭାବେ ଜଣାଶୁଣା। ସ୍ବାସ୍ଥ୍ୟବିଭାଗ ଏଥିପ୍ରତି ଯତ୍ନବାନ ହୋଇ ତୁରନ୍ତ ଡେଙ୍ଗୁ ମୁକାବିଲା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଏବଂ ଯୁବ ସାମାଜିକ କର୍ମୀ ଇଂ. ଚନ୍ଦ୍ରମୌଳୀ ମହାନ୍ତି ଦାବି ଜଣାଇଛନ୍ତି।