ବନ୍ତଳା, ୨୯ା୩(ଡି.ଏନ.ଏ.)- ଅନୁଗୋଳ ଜିଲାରେ ଲକଡାଉନ ଜାରି ସତ୍ତ୍ୱେ ଏହାକୁ ଲୋକେ ମାନୁ ନ ଥିବା ଦେଖିବାକୁ ମିଳିଛି । ରବିବାର ଅନୁଗୋଳ ଛକଠାରେ ସାପ୍ତାହିକ ହାଟ ଥିବାରୁ ସେଠାରେ ଏକ ସଙ୍ଗରେ ଶହ ଶହ ଲୋକ ରୁଣ୍ଡ ହୋଇଯାଇଥିଲେ। ଜିଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ବ୍ୟବସାୟୀ ପନିପରିବା, ରାଶନ ସାମଗ୍ରୀ ଓ ବିଭିନ୍ନ ସାମଗ୍ରୀ ହାଟକୁ ବିକ୍ରି ପାଇଁ ଆସିଥିଲେ। ଫଳରେ ଜିନିଷ କିଣିବାକୁ ବହୁ ସଂଖ୍ୟାରେ ଲୋକେ ସେଠାରେ ପହଞ୍ଚି ଯାଇଥିଲେ। କିଛି ସମୟରେ ପୋଲିସ ଫୋର୍ସ ସେଠାରେ ପହଞ୍ଚି ଭିଡ଼ ହଟାଇଥିଲା। ପୋଲିସକୁ ଦେଖି ଅନେକ ଲୋକେ ସେଠାରୁ ପଳାଇଯାଇଥିବା ଦେଖିବାକୁ ମିଳିଥିଲା। ପରେ ପୋଲିସ ହାଟ ଗେଟ ବନ୍ଦ କରିଦେଇଥିଲା। ତେବେ ସାମାଜିକ ଦୂରତା ବଜାୟ ନ ରଖି ଲୋକେ ଏକାସାଙ୍ଗରେ ଗୋଟିଏ ସ୍ଥାନରେ ଏକାଠି ହୋଇ ଜିନିଷ ନ କିଣିବାକୁ ପୋଲିସ ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିଲେ ହେଁ ଅନେକେ ଏହାକୁ ମାନୁ ନ ଥିବା ଦେଖାଯାଇଛି।