Categories: ଖେଳ

ହାଡ଼ଭଙ୍ଗା ଶୀତ ସତ୍ୱେ ମୋହନ ବାଗାନର ବିଜୟ

ଶ୍ରୀନଗର, ୫ା୧ (ପି.ଟି.)-ହାଡ଼ଭଙ୍ଗା ଶୀତ ସତ୍ୱେ ଏଠାରେ ରବିବାର ଅନୁଷ୍ଠିତ ଏକ ଆଇ-ଲିଗ୍‌ ମ୍ୟାଚରେ ମୋହନ ବାଗାନ ୨-୦ ଗୋଲରେ ରିୟଲ କଶ୍ମୀରକୁ ପରାସ୍ତ କରିଛି। ମ୍ୟାଚ ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟଭାବେ ଶେଷ ହୋଇଥିଲା। କୋଲକାତା ଦଳ ପକ୍ଷରୁ ଦ୍ୱିତୀୟାର୍ଦ୍ଧରେ ଜୋସେବା ବିଟିଆ (୭୧ତମ ମିନିଟ୍‌) ଏବଂ ନଙ୍ଗଡାମ୍ବା ନାଓରେମ (୭୩ତମ ମିନିଟ) ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଦୁଇ ମିନିଟ ବ୍ୟବଧାନରେ ଦୁଇଟି ଗୋଲ ଘରୋଇ ସମର୍ଥକଙ୍କୁ ହତାଶା କରିଥିଲା। ମ୍ୟାଚ ବେଳେ ତାପମାତ୍ରା ୧ ଡିଗ୍ରୀକୁ ଖସି ଆସିଥିଲେ ମଧ୍ୟ ଭାରତର ଅନ୍ୟତମ ପୁରାତନ କ୍ଲବର ଖେଳ ଦେଖିବା ଲାଗି ପାଖାପାଖି ୧୧,୫୦୦ କଶ୍ମୀର ଦର୍ଶକ ଉପସ୍ଥିତ ଥିଲେ। ଟିକେଟ ପାଇଁ ଖେଳପ୍ରେମୀମାନେ ସକାଳ ୯ଟାରୁ ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ। କେତେଜଣ ଟିକେଟ ନ ପାଇଁ ଘରକୁ ଫେରିଥିଲେ। ଏଥିରୁ ଖେଳ ପ୍ରତି ସ୍ଥାନୀୟ ଦର୍ଶକଙ୍କ କେତେ ଆଗ୍ରହ ତାହା ପ୍ରତିଫଳିତ ହୋଇଥିଲା। ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ମ୍ୟାଚ ୧୧ଟା ୩୦ରୁ ଆରମ୍ଭ ହୋଇଥିଲା। ପ୍ରତିକୂଳ ପାଗ ସତ୍ତ୍ୱେ ଭ୍ରମଣକାରୀ ଦଳ ଚମତ୍କାର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିଥିଲା। ମୋହନ ବାଗାନ କୋଚ୍‌ କିବୁ ଭିକୁନା ନୂତନ ଭାବେ ଚୁକ୍ତିବଦ୍ଧ ହୋଇଥିବା ସେନେଗାଲ ଷ୍ଟାଇକର ବାବା ଦିଆଓ୍ବାରାଙ୍କୁ ଏହି ମ୍ୟାଚ ଖେଳାଇଥିଲେ। ଧନଚନ୍ଦ୍ର ସିଂଙ୍କୁ ବ୍ୟାକ୍‌ଲାଇନ୍‌ ପୋଜିଶନକୁ ଆଣିଥିଲେ। ରିୟଲ କଶ୍ମୀର ଏଫ୍‌ସି କୋଚ୍‌ ସ୍କଟମ୍ୟାନ ଡେଭିଡ୍‌ ରବର୍ଟସନ କିନ୍ତୁ ତାଙ୍କ ଦଳରେ କୌଣସି ପରିବର୍ତ୍ତନ କରିନ ଥିଲେ। ଗତଥରର ଚାମ୍ପିୟନ ଚେନ୍ନାଇ ସିଟି ବିପକ୍ଷରେ ବିଜୟ ହାସଲ କରିଥିବା ଦଳରେ ସେ କୌଣସି ଅଦଳବଦଳ କରିବାକୁ ଚାହିଁ ନ ଥିଲେ।

Share