ଅନୁଗୋଳ ଅଫିସ, ୩।୪ – କରୋନା ସଂକ୍ରମଣ ଆଶଙ୍କା ସତ୍ତ୍ୱେ ଲୋକେ ଲକ୍ଡାଉନ୍କୁ ବେଖାତିର କରି ଭୋଜି କରିବା ଓ ତେଲଭାଜି ଦୋକାନ ଖୋଲିବା ଅନୁଗୋଳ ପୋଲିସର ଚିନ୍ତା ବଢ଼ାଇ ଦେଇଛି। ବୁଧବାର ସନ୍ଧ୍ୟାରେ ସହର ଉପକଣ୍ଠରେ ଏପରି କିଛି ଚାଲିଥିବା ଖବରପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ହାଣ୍ଡି, କଡ଼େଇ ସହ ସାମିଲ ଲୋକଙ୍କୁ ପୋଲିସ ଥାନାକୁ ଆଣିଥିଲା। ସୂଚନା ଅନୁଯାୟୀ, କେତେଜଣ ଯୁବକ ଏକ ସ୍ଥାନରେ ଭୋଜି କରୁଥିଲେ। ସେହିପରି ସହରର କେତୋଟି ସ୍ଥାନରେ ତେଲଭାଜି ଦୋକାନ ମଧ୍ୟ ଖୋଲା ରହିଥିଲା। ଜଳଖିଆ ଖାଇବାକୁ ସେଠାରେ ଲୋକେ ମଧ୍ୟ ରୁଣ୍ଡ ହୋଇଥିଲେ। ଏ ନେଇ ପୋଲିସକୁ ଖବର ମିଳିବା ମାତ୍ରେ ସେଠାରେ ଚଢାଉ କରାଯାଇଥିଲା। ଭୋଜି ଓ ତେଲଭାଜି ଛାଣୁଥିବା ଲୋକଙ୍କୁ ପୋଲିସ ଗିରଫ କରିବା ସହ କଡେଇ, ହାଣ୍ଡି ଜବତ କରିଥିଲା। ଥାନାକୁ ଆଣିଥିବା ଲୋକଙ୍କ ନାମରେ ମାମଲା ରୁଜୁ କରିବା ପରେ ସମସ୍ତଙ୍କୁ ନୋଟିସ୍ ଦେଇ ଛଡ଼ାଯାଇଥିଲା। କଟକଣା ପୁନର୍ବାର ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି।