ହାତକଡ଼ି ସହ ଅଭିଯୁକ୍ତ ଚମ୍ପଟ ଘଟଣା: ୨ ପୋଲିସ ନିଲମ୍ବିତ

ଚାନ୍ଦବାଲି, ୧୦।୧୦ (ଡି.ଏନ.ଏ.)- ଏକ କମେଣ୍ଟ ମାରିବା ଘଟଣାରେ ଗିରଫ ଜଣେ ଅଭିଯୁକ୍ତଙ୍କୁ ଭଦ୍ରକ ଜେଲକୁ ନିଆଯାଉଥିଲା। ରାସ୍ତାରେ ବାଇକ୍‌ରୁ ଡେଇଁ ହାତକଡ଼ି ସହିତ ଅଭିଯୁକ୍ତ ଚମ୍ପଟ ମାରିବା ମାମଲାରେ କର୍ତ୍ତବ୍ୟରେ ଅବହେଳା ପାଇଁ ବାଂଶଡ଼ା ଥାନାର ୨ ପୋଲିସ ତୁଷାରକାନ୍ତ ଦାସ ଓ ମୁଷଳ ହାଂସଦାଙ୍କୁ ନିଲମ୍ବନ କରାଯାଇଛି। ଜିଲା ଏସ୍‌ପିଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଛି। ଉଲ୍ଲେଖନୀୟ ଯେ, ବାଂଶଡ଼ା ଥାନାର ମାମଲା(ନଂ.୨୩୫/୧୯)ରେ ଅଭିଯୁକ୍ତ ଜଳେଶ୍ୱରପୁର ପଲେଇସାହି ଗଁାର ରାଜେନ୍ଦ୍ର ବାରିକଙ୍କୁ ଚାନ୍ଦବାଲି କୋର୍ଟରୁ ୨ ପୋଲିସ ସୁରକ୍ଷାରେ ଭଦ୍ରକ ଜେଲକୁ ନେଉଥିଲେ। ନାଲଗୁଣ୍ଡା ବଜାର ରାସ୍ତାରେ ରାଜେନ୍ଦ୍ର ବାଇକ୍‌ରୁ ଡେଇଁ ଖସି ପଳାଇଥିଲେ। ଏହାର ପ୍ରାୟ ୧୦ ଘଣ୍ଟା ପରେ ରାଜେନ୍ଦ୍ରଙ୍କୁ ତାଙ୍କ ଘରୁ ପୋଲିସ ଗିରଫ କରିଥିଲା। ବାଂଶଡ଼ା ଥାନାର କନଷ୍ଟେବଳ ମୁଷଳ ହାଂସଦାଙ୍କ ଅଭିଯୋଗ କ୍ରମେ ଏ ନେଇ ଚାନ୍ଦବାଲି ଥାନାରେ ଅନ୍ୟ ଏକ ମାମଲା(ନଂ.୨୪୪/୧୯) ରୁଜୁ ହୋଇଥିଲା।

Share