‘ହାତପାଆନ୍ତାରେ ସହାୟତା ପହଞ୍ଚାଇବାକୁ ପ୍ରାଥମିକତା’

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜ୍ୟର ୧୯,୦୫୯ ପରିବାରର ୫୧,୭୭୬ ଜଣଙ୍କୁ ଗତ ମାର୍ଚ୍ଚ ୨୧ରୁ ଏପ୍ରିଲ ୧୧ ତାରିଖ ମଧ୍ୟରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସେହିଭଳି ଯୋଗ୍ୟ ହିତାଧିକାରୀ ଚୟନ କରାଯାଇ ଅନ୍ତର୍ଭୁକ୍ତ କରାଯିବା ପ୍ରକ୍ରିୟା ଜାରି ରହିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ରାଜ୍ୟ ପକ୍ଷରୁ ୫.୬୫ ଲକ୍ଷ ମେଟ୍ରିକ ଟନ୍‌ ପରିମାଣର ଶସ୍ୟ(ଚାଉଳ ଏବଂ ଗହମ) ଯୋଗାଇ ଦିଆଗଲାଣି। ଏପ୍ରିଲ, ମେ ଏବଂ ଜୁନ୍‌ ମାସ ବାବଦକୁ ହିତାଧିକାରୀ ଏହି ସହାୟତା ପ୍ରଦାନ କରାଯାଇଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।
ସେହିଭଳି ଗ୍ରାମୀଣ ଓଡ଼ିଶାରେ ଅବିରତ ରନ୍ଧାଖାଦ୍ୟ ମାଗଣାରେ ବଣ୍ଟନ ଜାରି ରହିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ରବିବାର ଅପରାହ୍ନ ୨ଟା ସୁଦ୍ଧା ୩୧୪ ବ୍ଲକର ୬୭୯୮ ଗ୍ରାମପଞ୍ଚାୟତ ମଧ୍ୟରୁ ୫୪୭୬ ପଞ୍ଚାୟତରେ ମାଗଣା ଖାଦ୍ୟ ବଣ୍ଟନ କରାଯାଇଛି। ୩,୪୧,୮୭୯ ଜଣଙ୍କୁ ଏହି ରନ୍ଧାଖାଦ୍ୟ ପ୍ରଦାନ ପ୍ରସ୍ତୁତି ଏବଂ ପ୍ରଦାନ କରିଥିବା ଜଣାପଡିଛି। ଆରମ୍ଭରୁ ଏଯାବତ୍‌ ୪୧,୮୫,୬୩୭ ଲୋକ ଏହି ଖାଦ୍ୟ ଖାଇଥିବା ଜଣାପଡ଼ିଛି। ରାଜ୍ୟର ୭୧୫୬ ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜିି) ଏଥିରେ ନିୟୋଜିତ ଅଛନ୍ତି। ବିଭିନ୍ନ ରାଜ୍ୟରୁ ଆସି ଓଡ଼ିଶାରେ ଫସିଥିବା ଶ୍ରମିକମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ଶ୍ରମିକମାନେ ମୁଖ୍ୟତଃ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ ଛତିଶଗଡର। ୨୫୫୩ଟି ଶିବିର କରାଯାଇ ୭୭,୦୦୦ ଜଣ ଅନ୍ୟ ରାଜ୍ୟର ଶ୍ରମିକଙ୍କୁ ଖାଦ୍ୟ ଏବଂ ରହିବା ପାଇଁ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

Share