ନୂଆଦିଲ୍ଲୀ,୩୧ା୩(ପି.ଟି.): କରୋନା ମୁକାବିଲା ଲାଗି ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅନୁରୋଧକ୍ରମେ ୩୫ ଜଣ ଏମ୍ପି ସେମାନଙ୍କ ହାତପାଣ୍ଠି (ଏମ୍ପି ଲାଡ୍ସ)ରୁ ୧ କୋଟି ଲେଖାଏ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ ପିଏମ୍-କେୟାରର୍ସ ପାଣ୍ଠିକୁ ଦେବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି। କରୋନା ମହାମାରୀକୁ ନେଇ ଦେଶ ଏକ ଜଟିଳ ସମୟ ଦେଇ ଗତି କରୁଥିବାରୁ ଜନପ୍ରତିନିଧି ଭାବରେ ଲୋକଙ୍କ ପାଖରେ ଛିଡ଼ାହେବା ଆମର କର୍ତ୍ତବ୍ୟ ବୋଲି ବାଚସ୍ପତି ବିର୍ଲା ଶନିବାର ଲୋକ ସଭାର ସବୁ ସଦସ୍ୟଙ୍କୁ ପତ୍ର ଲେଖି ଜଣାଇଥିଲେ। ସେମାନଙ୍କ ଆଞ୍ଚଳିକ ଉନ୍ନୟନ ଯୋଜନା (ଏମ୍ପିଲାଡ୍ସ) ପାଣ୍ଠିରୁ କୋଭିଡ-୧୯ ମୁକାବିଲା ପାଇଁ ୧ କୋଟି ଲେଖାଏ ମଞ୍ଜୁର କରିବାକୁ ସେ ଅନୁରୋଧ କରିଥିଲେ। ୩୫ ଏମ୍ପି ଏଥିପାଇଁ ଅନୁପତି ଫର୍ମ ପଠାଇଥିବା ଲୋକ ସଭା ସଚିବାଳୟ ସୂତ୍ରରୁ ଜଣାପଡିଛି। ବାଚସ୍ପତି ପୂର୍ବରୁ ମାସକର ବେତନ ଦାନ କରିବେ ବୋଲି କହିଥିଲେ।