ହାତପାଣ୍ଠିରୁ ସଦର ବିଧାୟକ ଦେଲେ ୫୦ ଲକ୍ଷ

ବାଲେଶ୍ୱର ଅଫିସ, ୩।୫-ମହାମାରୀ କରୋନାକୁ ମୁକାବିଲା କରିବା ଲାଗି ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ହାତପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବିଧାୟକ ଏହି ଅନୁଦାନ ଜିଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି। ବିଧାୟକ ଦତ୍ତ ଏହା ପୂର୍ବରୁ ୩ ଲକ୍ଷ ଟଙ୍କା ସହାୟତା ଦେଇଥିଲେ।
ଗତ ଦୁଇ ଦିନ ପୂର୍ବରୁ କରୋନା ମୁକାବିଲା ସମ୍ପର୍କିତ ସମୀକ୍ଷା ବୈଠକରେ ଜିଲାପାଳ, ବାଲେଶ୍ୱର ପୌରପାଳିକା ନିର୍ବାହୀ ଅଧିକାରୀ ଓ ସଦର ବିଡ଼ିଓଙ୍କ ସହ ସଦର ବିଧାୟକ ଆଲୋଚନା କରିଥିଲେ। ଶନିବାର ବିଧାୟକ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ମାଧ୍ୟମରେ ୫୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ପୌରପାଳିକା ଜରିଆରେ ସହରରେ ମହାମାରୀକୁ ପ୍ରତିହତ କରିବା ପାଇଁ ୧୦ଲକ୍ଷ ଟଙ୍କା, ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜରିଆରେ ପଞ୍ଚାୟତ ଅଞ୍ଚଳ ପାଇଁ ୧୦ଲକ୍ଷ ଟଙ୍କା ଓ ସମସ୍ତ ଆଇସୋଲେଶନ ସେଣ୍ଟରରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ପାଇଁ ୩୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସଦର ବ୍ଲକ ପଞ୍ଚାୟତ ଅଞ୍ଚଳରେ ପ୍ରବାସୀଙ୍କ ସୁରକ୍ଷା, ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ କିଟ୍‌, ମାସ୍କ ଓ ସ୍କ୍ରିନିଂ ବ୍ୟବସ୍ଥା ପାଇଁ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଅନୁଦାନ ବିନିଯୋଗ କରାଯିବ। ଏହାସହ ସହରର ଗହଳି ସ୍ଥାନ ଓ ସଂକ୍ରମଣ ଆଶଙ୍କା ଥିବା ସ୍ଥାନରେ ସାନିଟାଇଜ ଟନେଲ ଲଗାଇବା ପାଇଁ ବିଧାୟକ ଆଗ୍ରହ ପ୍ରକାଶ କରିଛନ୍ତି।