Categories: ଭଦ୍ରକ

ହାତପାହାନ୍ତାରେ ଝୁଲୁଛି ବିପଦ

ଭଦ୍ରକ ଅଫିସ, ୧୫।୨- ଭଦ୍ରକ ଜିଲା ଧାମନଗର ବ୍ଲକ ପଦ୍ମପୋଖରୀ ଛକ ନିକଟରେ ହାତପାହାନ୍ତାରେ ଝୁଲିଛି ବିପଦ। ସତେ ଯେପରି ଯେକୌଣସି ମୁହୂର୍ତ୍ତରେ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ୍‌ ତାର ବିପଦକୁ ଚାହିଁ ରହିଛି। ଧାମନଗର ବ୍ଲକର ଭଗବାନପୁର ଏବଂ ଏନ୍‌ଏସିର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ରାସ୍ତା ଉପରେ ଭଣ୍ଡାରିପୋଖରୀକୁ ଯାତାୟାତ ପାଇଁ ନିର୍ଭର କରନ୍ତି। ଭଗବାନପୁରଠାରୁ ପଳିକିରି ଓ ଦକ୍ଷିଣବାଡ଼ ବାଇପାସ୍‌ ରୋଡ ପଦ୍ମପୋଖରୀ ଛକ ନିକଟରେ ଏହି ବିଦ୍ୟୁତ୍‌ ତାର ବିପଦ ସଙ୍କୁଳ ଭାବେ ନୀଚାବସ୍ଥାରେ ଝୁଲି ରହିଛି। ଅପରପକ୍ଷେ ପଦ୍ମପୋଖରୀଠାରୁ ଦକ୍ଷିଣବାଡ଼ ବାଇପାସ୍‌ ରାସ୍ତା ନିର୍ମାଣାଧୀନ ରହିଥିବାରୁ ଆହୁରି ୨ ଫୁଟ୍‌ ରାସ୍ତା ଉଚ୍ଚତା ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଉକ୍ତ ରାସ୍ତା ଉଚ୍ଚା ହେବା ପରେ ଯେକୌଣସି ମୁହୂର୍ତ୍ତରେ ବଡ଼ଧରଣର ଦୁର୍ଘଟଣାର ଆଶଙ୍କା ରହିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏଣୁ ତୁରନ୍ତ ଉକ୍ତ ରାସ୍ତା ଉପରେ ଝୁଲି ରହିଥିବା ବିଦ୍ୟୁତ୍‌ ତାରକୁ ଆବଶ୍ୟକ ଉଚ୍ଚତାରେ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ସୂଚନା ଥାଉକି, ଗତ ରବିବାର ଗଞ୍ଜାମ ଜିଲାରେ ଅଳ୍ପ ଉଚ୍ଚତାରେ ଥିବା ବିଦ୍ୟୁତ୍‌ ତାର ଲାଗି ୧୦ ଜଣ ବସ୍‌ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ହୋଇଥିଲେ। ଏହି ଘଟଣା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଥିଲା। ସେହିଦିନ ବାଲେଶ୍ୱର ଜିଲା ବାଲିଆପାଳଠାରେ ମଧ୍ୟ ଏକ ଟୁରିଷ୍ଟ ବସ୍‌ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ଡ୍ରାଇଭର ଉପସ୍ଥିତବୁଦ୍ଧି ପ୍ରୟୋଗ କରି ଗାଡ଼ିକୁ ପଛକୁ ନେଇଯିବାରୁ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥିଲା। ପରଦିନ ଧାମରା ନିକଟସ୍ଥ କଇଥଖୋଲା ବଜାରରେ ଏଭଳି ଆଉ ଏକ ଦୁର୍ଘଟଣାକୁ ସାମ୍ନା କରିଥିଲେ ଦୁଇ ବାଇକ୍‌ ଆରୋହୀ। ମୃତ୍ୟୁମୁଖରୁ ଅଳ୍ପକେ ସେମାନେ ବର୍ତ୍ତି ଯାଇଥିଲେ ସୁଦ୍ଧା ସେମାନଙ୍କ ବାଇକ୍‌ଟି ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା। ଧୀରେ ଧୀରେ ଏହିଭଳି ଦୁର୍ଘଟଣା ବିଭିନ୍ନ ସ୍ଥାନରେ ଘଟିଲାଣି। ଏଣୁ ଆଗାମୀ ଦିନରେ ଆଉ ଅଧିକ ଧନଜୀବନ ହାନି ଘଟିବା ପୂର୍ବରୁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇ ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି ହେଉଛି।