ହାତବାନ୍ଧି ବସିଛନ୍ତି ଶତାଧିକ ବୁଣାକାର ପରିବାର

ବଲାଙ୍ଗୀର ଅଫିସ, ୨୦ା୪: ଲକ୍‌ଡାଉନ୍‌ ଯୋଗୁ ବଲାଙ୍ଗୀର ଜିଲା ବୁଣାକାରମାନେ ସେମାନଙ୍କ ଜୀବନଜୀବିକା ନେଇ ଚିନ୍ତାରେ ପଡିଛନ୍ତି। ଲୋଇସିଂହା ବ୍ଲକ ଅନ୍ତର୍ଗତ ତାଲଜୁରୀ ଗ୍ରାମର ଶତାଧିକ ବୁଣାକାର ପରିବାର ହାତବାନ୍ଧି ବସିଛନ୍ତି । ଏଣେ ପରିବାର ଚଳାଇବା ଚିନ୍ତା ବଢ଼ିଛି। ଖାଦ୍ୟାଭାବ ସହିତ ଔଷଧ ଖର୍ଚ୍ଚ ତୁଲାଇବା ଏହି ପରିବାର ପାଇଁ କଷ୍ଟକର ହୋଇଛି।
ତାଲଜୁରୀ ଗାଁର ଏହି ବୁଣାକାରମାନେ ଚୁଡାପାଲି ବୁଣାକାର ସମବାୟ ସମିତି ଜରିଆରେ ସମ୍ବଲପୁରୀ ଲୁଗା ବୁଣିଥାନ୍ତି। ସମବାୟ ସମିତିରୁ ସୂତା, ରଙ୍ଗ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ପାଇବା ପରେ ଲୁଗା ବୁଣି ସମିତି ଜରିଆରେ ନିଜର ମଜୁରି । ଲକ୍‌ଡାଉନ୍‌ ଯୋଗୁ ପ୍ରାୟ ଏକ ମାସ ହେଲା ବୁଣାକାର ସମବାୟ ସମିତିଗୁଡିକ ବନ୍ଦ ଥିତ୍ବାରୁ ସେମାନେ ଲୁଗା ବୁଣିବା କାର୍ଯ୍ୟ କରିପାରୁ ନ ଥିବା ତାଲଜୁରୀର ବୁଣାକାର ପରିବାର ସଦସ୍ୟମାନେ କହିଛନ୍ତି। ସେମାନଙ୍କ ପାଖରେ ଯେତିକି ସାମଗ୍ରୀ ଥିଲା ସେ କାମ କେବେଠୁ ସରିଯାଇଛି। ଏବେ ସେମାନଙ୍କୁ ସମିତି ପକ୍ଷରୁ ସୂତା, ରଙ୍ଗ ଓ ଆନୁଷଙ୍ଗିକ ସାମଗ୍ରୀ ମିଳୁନାହିଁ।ଫଳରେ ଏବେ ଗାଁର ଶତାଧିକ ବୁଣାକାର ପରିବାର ହାତବାନ୍ଧି ବସିଛନ୍ତି। ସମିତି ବନ୍ଦ ଥିତ୍ବାରୁ ସେମାନେ ମଜୁରି ବି ପାଇ ନାହାନ୍ତି ।
ଗୋଟିଏ ଲୁଗା ବୁଣିଲେ ପ୍ରାୟ ୭ ଶହ ଟଙ୍କା ମଜୁରି ମିଳେ। ଗତ ୧ ମାସ ହେଲା ଏହି ପରିବାର ସଦସ୍ୟମାନେ ଖଣ୍ଡିଏ ବି ଲୁଗା ବୁଣି ନାହାନ୍ତି। ଉକ୍ତ ବୁଣାକାର ପରିବାରର ସଦସ୍ୟମାନେ ନିଜ ଘରେ ମଙ୍ଗାରେ ବୁଣା କାର୍ଯ୍ୟ କରୁଥିତ୍ବାରୁ ଏଠାରେ ସାମାଜିକ ଦୂରତ୍ୱ ନିୟମ ପ୍ରଭାବିତ ହେବା ବିଶେଷ ଆଶଙ୍କା ନାହିଁ। ଲକ୍‌ଡାଉନ୍‌ ସମୟରେ ଅଧିକ ପରିମାଣର ସୂତା ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଲେ ସେମାନେ ଅଧିକ କାମ କରିପାରିଥାନ୍ତେ। ଏହା ସହିତ ଦୁଇ ପଇସା ରୋଜଗାର କରି ପରିବାର ଚଳାଇ ପାରିଥାନ୍ତେ ବୋଲି କହିଛନ୍ତି ଗାଁର ମୀନକେତନ ମେହେର। ଗତ ଏକ ମାସ ହେଲା ରୋଜଗାର ନ ଥିବାରୁ ଏହି ବୁଣାକାର ପରିବାରମାନେ ଚିନ୍ତାରେ ପଡିଛନ୍ତି। ସରକାର ଯେଉଁ ୩ ମାସର ପିଡିଏସ୍‌ ଚାଉଳ ଏବଂ ୧ ହଜାର ଟଙ୍କାର ସହାୟତା ଦେଲେ ସେଥିରେ କିଛି ମାତ୍ରାରେ ଗୁଜୁରାଣ ମେଣ୍ଟିଛି। ମାତ୍ର ଅନେକ ପରିବାର ଏବେ ଖାଦ୍ୟ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଔଷଧ ଖର୍ଚ୍ଚ, ଛୋଟ ଶିଶୁଙ୍କ ଖାଇବା ଖର୍ଚ୍ଚ ସହ ଅନ୍ୟାନ୍ୟ ସମସ୍ୟା ଏହି ପରିବାରକୁ ଅଡୁଆରେ ପକାଇଛି। ଏଭଳି ପରିସ୍ଥିତିରେ ଏହି ବୁଣାକାର ପରିବାରକୁ ସ୍ବାବଲମ୍ବୀ କରିବାକୁ ହେଲେ ତୁରନ୍ତ ବୁଣାକାର ସମବାୟ ସମିତିଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ଗାଁର ସନ୍ତୋଷ ମେହେର, ଦେବଧି ମେହେର, ଗଜେନ୍ଦ୍ର ମେହେର, ଯୁଗଳେଶ୍ୱରୀ ମେହେର, କେତକୀ ମେହେର ଓ ଅନ୍ୟମାନେ ଦାବି କରିଛନ୍ତି।

Share