ହାତରେ ଖାଇଲେ ବଢ଼େ ଖାଦ୍ୟର ସ୍ବାଦ

ବର୍ତ୍ତମାନର ଆଧୁନିକ ଯୁଗରେ ଅଧିକାଶ ଲୋକେ ହାତ ପରିବର୍ତ୍ତେ ଚାମଚରେ ଖାଇବାକୁ ପସନ୍ଦ କରୁଛନ୍ତି। ମାତ୍ର ଚାମଚରେ ନ ଖାଇ ହାତରେ ଖାଇବା ଦ୍ୱାରା ଖାଦ୍ୟର ସ୍ବାଦ ବଢ଼ିଥାଏ। ନିକଟରେ ନ୍ୟୁୟର୍କର ଷ୍ଟେଭେନ୍‌ସ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି।
ଏହି ପରୀକ୍ଷା ପାଇଁ ଗବେଷକମାନେ କିଛି ପନିରକୁ କେତେଜଣ ଲୋକଙ୍କୁ ଖାଇବା ପୂର୍ବରୁ ହାତରେ ଧରି ଦେଖିବାକୁ କହିଲେ। କେତେଜଣ ପନିରକୁ ହାତରେ ଆଉ କେତେଜଣ ଚାମଚରେ ଧରିଲେ। ତେବେ ଚାମଚରେ ପନିର ଧରିଥିବା ଲୋକଙ୍କ ଠାରୁ ହାତରେ ଧରିଥିବା ଲୋକଙ୍କୁ ତାହା ଅଧିକ ସ୍ବାଦିଷ୍ଟ ଲାଗିଥିଲା।
ଗବେଷକଙ୍କ କହିବା ଅନୁଯାୟୀ, ଖାଦ୍ୟକୁ ହାତରେ ଛୁଇଁବା ମାତ୍ରେ ମସ୍ତିଷ୍କ ଖାଦ୍ୟକୁ ନେଇ ସନ୍ତୁଷ୍ଟ ହୋଇଥାଏ ଏବଂ ଏହା ସ୍ବାଦିଷ୍ଟ ପରି ମନେହୁଏ। ମାତ୍ର ଖାଇବା ପୂର୍ବରୁ ଏହା କ’ଣ ବୋଲି ଯେଉଁମାନେ ଖାଦ୍ୟକୁ ପରଖିଥାନ୍ତି ସେମାନଙ୍କୁ ତାହା ଆଦୌ ସ୍ବାଦିଷ୍ଟ ଲାଗି ନ ଥାଏ। ଆହୁରି ମଧ୍ୟ ଗବେଷକ କୁହନ୍ତି ହାତରେ ଭୋଜନ କରୁଥିବା ବ୍ୟକ୍ତି ଅଧିକ ଖାଇଥାନ୍ତି।