ବନ୍ତଳା, ୧୧ା୫(ଡି.ଏନ.ଏ.)-ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଜଗନ୍ନାଥପୁର ବିଟ୍ ପଣସ ତଇଳାରେ ଶୁକ୍ରବାର ଅପରାହ୍ନରେ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ସୂଚନାରୁ ପ୍ରକାଶ, ରବିବାର ଠାରୁ ହାତୀର ମୃତ୍ୟୁ ହୋଇଛି। ୭ ଦିନ ପୂର୍ବରୁ ହାତୀଟି ଅସୁସ୍ଥ ହୋଇ ବୁଲୁ ଥିବା ବେଳେ ବନ କର୍ମଚାରୀମାନେ ତାହା ଉପରେ ନଜର ରଖିଥିଲେ। ଦୁଇଦିନ ପରେ ହାତୀଟି କେଉଁଆଡେ ଚାଲିଯାଇଥିବା ବେଳେ ପୁଣି ଜଗନ୍ନାଥପୁର ତରଭା ରାସ୍ତାରେ ଦେଖାଯାଇଥିଲା। ପରବର୍ତ୍ତୀ ସମୟରେ ହାତୀର ଗତିବିଧି ଉପରେ ବନ ବିଭାଗ ନଜର ରଖି ନ ଥିବା ଅଭିଯୋଗ ହୋଇଛି। ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ବିଭାଗ ପକ୍ଷରୁ ଅବହେଳା କରାଯାଉଥିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ହାତୀ ମୃତ୍ୟୁ ସମ୍ପର୍କରେ ଖବରପାଇ ସାତକୋଶିଆ ଡିଏଫଓ ପି. ରାମାସ୍ବାମୀ, ଏସିଏଫ ଶୁଭେନ୍ଦୁ ବେହେରା, ସରୋଜ କୁମାର ପଣ୍ଡା, ଡାକ୍ତର କିଶୋର କୁମାର ସାହୁ ପ୍ରମୁଖ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପରେ ଏହାକୁ ପୋତି ଦେଇଥିଲେ। ଏ ସମ୍ପର୍କରେ ଡିଏଫଓ ପି ରାମାସ୍ବାମୀ କୁହନ୍ତି, ମୃତ ହାତୀର ବୟସ ୩ରୁ ୪ ବର୍ଷ ମଧ୍ୟରେ ହେବ। ୪ରୁ ୫ ଦିନ ହେବ ଏହାର ମୃତ୍ୟୁ ଘଟିଛି। ପାଟ୍ରୋଲିଂବେଳେ ହାତୀର ମୃତ୍ୟୁ ଘଟିଥିବା କର୍ମଚାରୀମାନେ ଜାଣିବାକୁ ପାଇଥିଲେ।