ହାତୀର ସ୍ବାସ୍ଥ୍ୟବସ୍ଥାରେ ସୁଧାର ନାହିଁ, ଜାରି ରହିଛି ଚିକିତ୍ସା

କେନ୍ଦୁଝର, ୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଉପରସୁମଠ ଗ୍ରାମ ଜଙ୍ଗଲରେ ଗତ ୪ ଦିନ ହେବ ଅସୁସ୍ଥ ହୋଇ ପଡ଼ିରହିଥିବା ମାଈ ହାତୀର ଚିକିତ୍ସା ଜାରିରହିଛି। ତେବେ ତା’ର ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସି ନ ଥିବା ଜଣାପଡ଼ିଛି। ହାତୀର ବୟସ ପାଖାପାଖି ୨୫ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ହର୍ପିସ ସଂକ୍ରମଣକୁ ବନବିଭାଗ ଅସ୍ବୀକାର କରୁଥିଲେ ହେଁ ପ୍ରକୃତ କାରଣ ଜଣାପଡି ନାହିଁ। ହାତୀର ରକ୍ତ ନମୂନା ଯାଞ୍ଚ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ପ୍ରକୃତରେ କେଉଁ ରୋଗ ହୋଇଛି ତାହା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି। ଶିମିଳିପାଳର ଏକ ବିଶେଷଜ୍ଞ ଟିମ୍‌ ସହ ଅନ୍ୟ ଏକ ଡାକ୍ତରୀ ଦଳ ଅସୁସ୍ଥ ହାତୀର ଚିକିତ୍ସା ଜାରି ରଖିଛନ୍ତି।
ହାତୀକୁ କଦଳୀ ମଞ୍ଜା, ଆଖୁ, ବୋଇତାଳୁ, ଗୁଡ଼ ଆଦି ଖାଇବାକୁ ଦିଆଯାଉଥିବା କେନ୍ଦୁଝର ଡିଏଫ୍‌ଓ ଦାୟିତ୍ୱରେ ଥିବା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନର ଅଜିତ୍‌ ଶତପଥୀ କହିଛନ୍ତି। ଏବେ ହାତୀଟି ଖିଆପିଆ କରୁଥିଲେ ହେଁ ଉଠିପାରୁ ନାହିଁ। ହାତୀ ଉଠି ଚଲାବୁଲା ନ କରିବା ଯାଏ ଚିକିତ୍ସା ଜାରିରହିବ ବୋଲି ଜଣାପଡ଼ିଛି।