ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ରଣପୁର, ୨୭।୧୧(ସ୍ବ.ପ୍ର): ନୟାଗଡ ଜିଲା ରଣପୁର ବ୍ଲକ ଚାନ୍ଦପୁର ଥାନା କେରଣ୍ଡାଟାଙ୍ଗିି ପଞ୍ଚାୟତ ମୁକ୍ତାପୁର ପାତାଳେଶ୍ୱର ମନ୍ଦିର ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଟାଙ୍ଗି ଥାନା ଭଜାଗଡ ଗାଁର ଜଣେ ୬୫ ବର୍ଷୀୟା ବୃଦ୍ଧା ତାଙ୍କ ବନ୍ଧୁଘର ମୁକ୍ତାପୁରକୁ ଯାଉଥିବା ସମୟରେ ପାତାଳେଶ୍ୱର ମନ୍ଦିର ନିକଟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୁଣ୍ଡକୁ ହାତୀ ଦଳିଦେଇଥିବାବେଳେ ଦାନ୍ତରେ ମୁଣ୍ଡକୁ ଭୁସି ଦେଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିବାବେଳେ ଏପର୍ଯ୍ୟନ୍ତ ଟାଙ୍ଗି ବନାଞ୍ଚଳର କୌଣସି ଅଧିକାରୀ କିମ୍ବା ପୋଲିସ ପହଞ୍ଚି ନ ଥିବା ଜଣାପଡିଛି। ଟାଙ୍ଗି ବନାଞ୍ଚଳରେ ହାତୀମାନେ ଫସଲ ନଷ୍ଟ କରୁଥିବାର ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି।

Share