ହାତୀ ଆକ୍ରମଣରେ ଚାଷୀ ମୃତ୍ୟୁ ନେଇ ରାସ୍ତାରୋକୋ

ଦିଗପହଣ୍ଡି,୨୨ା୧(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ଗ୍ରାମ୍ୟ ସ୍ବାସ୍ଥ୍ୟ ତାଲିମ କେନ୍ଦ୍ର ପଛ ପଟେ ଧାନଖଳା ଜଗିଥିବା ଜଣେ ଚାଷୀଙ୍କ ହାତୀ ଆକ୍ରମଣରେ ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ ଦିଗପହଣ୍ଡି ସାନଦାଣ୍ଡ ସାହିର ଆଲୁ.ଲାଚ୍ଛେୟା। ଦିଗପହଣ୍ଡି ଥାନାଧିକାରୀ ବସନ୍ତ କୁମାର ସେଠୀ ସଦଳବଳ ପହଞ୍ଚତ୍ ୟୁଡି କେଶ ନଂ. ୨/୨୦ ଅନୁଯାୟୀ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିଲେ।
ପ୍ରକାଶ ଯେ, ଦିଗପହଣ୍ଡି-ନିମପଲ୍ଲୀ କେନାଲ ରାସ୍ତା କଡ଼ରେ ଥିବା ସୁରେଶ ପଶୁପାଳକଙ୍କ ଖଳାରେ ଅମଳ ଧାନକୁ ଜଗିବା ପାଇଁ ଲାଚ୍ଛେୟା ଏବଂ ନୂଆ ସାହିର କେ.ଅରକ୍ଷିତ ପାତ୍ର ଯାଇଥିଲେ। ସେ ଦୁହେଁ ଖଳାରେ ଶୋଇଥିଲେ। ରାତି ୩ଟାରେ ଶବ୍ଦଶୁଣି ଉଭୟେ ନିଦରୁ ଉଠିଥିଲେ। ଖଳା ଭିତରକୁ ଷଣ୍ଢ ଆସି ଧାନ ଖାଉଥିବା ଆଶଙ୍କା କରି ଟର୍ଚ୍ଚ ଲାଇଟ୍‌ ଓ କଣ୍ଟି ବାଡି ଧରି ଘଉଡ଼ାଇବାକୁ ଯାଇ ହାତୀ ହାବୁଡ଼ାରେ ପଡ଼ିଥିଲେ। ଲାଛେୟାଙ୍କୁ ହାତୀ ଶୁଣ୍ଢରେ ଟେକି ଛେଚି ଦେବାରୁ ଘଟଣାସ୍ଥଳରେ ସେ ଅଚେତ ହୋଇ ପଡ଼ିିଥିଲେ। ଅରକ୍ଷିତ ନିକଟସ୍ଥ ଏକ କୋଠା ଛାତ ଉପରକୁ ଦୌଡି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରିବାର ଲୋକେ ଲାଚ୍ଛେୟାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ପରେଶ ଚନ୍ଦ୍ର ରଥ, କୁରେଶୁ ମହାରଣା, କେ.କୁନା ପ୍ରମୁଖ ସକାଳ ୮ ଟାରୁ ୯ ଟା ପର୍ଯ୍ୟନ୍ତ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ, ଫରେଷ୍ଟର ସୀତାରାମ ପାତ୍ର, ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ, ଏସ୍‌ଆଇ ମଧୁସ୍ମିତା ପ୍ରଧାନ ପହଞ୍ଚତ୍ ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିବା ପରେ ଅବରୋଧ ହଟିଥିଲା। ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ସବିଶେଷ ରିପୋର୍ଟ ସଂଗ୍ରହ କରି ଫେରିଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।