ହାତୀ ଆକ୍ରମଣରେ ଜଣେ ଗୁରୁତର, ଗୋଟିଏ ଘର ଭାଙ୍ଗିଲେ

ଝୁମ୍ପୁରା, ୨୭।୧୦ (ଡି.ଏନ.ଏ.): ଝୁମ୍ପୁରା ବ୍ଲକ ଅନ୍ତର୍ଗତ ମଲଦା ଓ ବସନ୍ତପୁର ପଞ୍ଚାୟତରେ ୨ଦିନ ହେଲା ହାତୀପଲ ଆତଙ୍କ ଖେଳାଇ ଚାଲିଛନ୍ତି। ଧାନ ପାଚି ଆସୁଥିବା ବେଳେ ବହୁ ସଂଖ୍ୟାରେ ହାତୀ ଆସି ଫସଲ ନଷ୍ଟ କରୁଥିବାରୁ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଚାଷୀଙ୍କ ନିଦ ହଜିଯାଇଛି। ଚାଷୀମାନେ ଧାନ କ୍ଷେତକୁ ଜଗିବା ପାଇଁ ଗଛ ଉପରେ ମଞ୍ଚା ବାନ୍ଧି ଜଗି ବସିଥିଲେ ହେଁ, ହାତୀପଲକୁ ଘଉଡାଇବାରେ ସକ୍ଷମ ହୋଇପାରୁ ନାହାନ୍ତି। ଗତ ୨୫ରିଖ ସନ୍ଧ୍ୟାରେ ବସନ୍ତପୁର ଅଞ୍ଚଳର ପ୍ଲାଣ୍ଟକୁ ମାନସ ମହାନ୍ତ ନାମକ ଜଣେ ସିକ୍ୟୁରିଟି ଗାର୍ଡ ଡ୍ୟୁଟି କରିବା ପାଇଁ ଯାଉଥିବା ବେଳେ ପ୍ଲାଣ୍ଟର ଅନତିଦୂରରେ ହାତୀପଲ ହାବୁଡରେ ପଡି ଯାଇଥିଲେ। ସୂଚନା ଅନୁଯାୟୀ ଆଗରେ ଥିବା ଦନ୍ତା ହାତୀଟି ସିକ୍ୟୁରିଟିଙ୍କୁ ଶୁଣ୍ଢରେ ଗୁଡାଇ ଫିଙ୍ଗି ଦେବାରୁ ସିକ୍ୟୁରିଟି ଗାର୍ଡ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ତାଙ୍କ ଘର ତୁରୁମୁଙ୍ଗା ଅଞ୍ଚଳରେ। ହାତୀପଲ ବହୁ ଏକର ଧାନ ଫସଲ ଦଳିଚକଟି ନଷ୍ଟ କରିବା ସହିତ ମଲଦା ପଞ୍ଚାୟତର ପଟୁଆକୁଦର ଗ୍ରାମରେ ଗୋଟିଏ ଘର ଭାଙ୍ଗି ଦେଇଛନ୍ତି। ହାତୀପଲ ଉତ୍ପାତ ମଚାଉଥିବା ଅଞ୍ଚଳ ବାମେବାରୀ ଫରେଷ୍ଟ ଅଧୀନରେ ଆସୁଥିବା ବେଳେ ଏହି ପଲରେ ୧୨ଟି ହାତୀ ରହିଥିବା ବାମେବାରୀ ଫରେଷ୍ଟର ଯତୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଧାନ ପାଚି ଆସୁଥିବା ସମୟରେ ହାତୀପଲ ଖମାରକୁ ପଶି ଆସୁଥିବାରୁ ବନ ବିଭାଗ କର୍ମଚାରୀମାନଙ୍କୁ ମଧ୍ୟ ନାକେଦମ ହେବାକୁ ପଡୁଛି।