ହାତୀ ଆକ୍ରମଣରେ ବୃଦ୍ଧଙ୍କ ଜୀବନଗଲା

ଠାକୁରମୁଣ୍ଡା,୭ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଯଶିପୁର ବ୍ଲକ ଅନ୍ତର୍ଗତ ଧୁଧିଆଣି ରେଞ୍ଜ ରୁଗୁଡି ଗ୍ରାମପଞ୍ଚାୟତ ଖଣ୍ଡବନ୍ଧ ଗ୍ରାମର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରୂପା ଚାତାର। ଶୋଇଥିତ୍ବା ବେଳେ ହାତୀପଲ ଘର ଭାଙ୍ଗି ଦେବାରୁ କାନ୍ଥ ତଳେ ଚାପି ହୋଇ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେହି ଘରେ ଶୋଇଥିବା ତାଙ୍କ ପୁଅ ହାତୀ ଆକ୍ରମଣ ଦେଖି ଦୌଡି ପଳାଇ ଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।
କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ରରୁଆଁ, ଶୁକୃଳି ଓ ଯଶୀପୁର ଆଦି ୩ଟି ବ୍ଲକ ଅଞ୍ଚଳରେ ଗତ ସପ୍ତାହେ ହେଲା ହାତୀ ଆତଙ୍କ ଦେଖାଦେଇଛି। ରରୁଆଁ ବ୍ଲକ ଅନ୍ତର୍ଗତ ଯାମୁତି, ଟାକୁଳିପାଳ, ଶୁକୃଳି ବ୍ଲକର ଜେଠମା, ନାଏକସାହି ଓ ଯଶୀପୁର ବ୍ଲକ ଅଧୀନ କୁଦରସାହି, ମଣଦା ପ୍ରଭୃତି ଗ୍ରାମରେ ୨୨ଟି ହାତୀ ଉତ୍ପାତ ଚଳାଇ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗି ଦେଇଛନ୍ତି। ଅଞ୍ଚଳରେ ବ୍ୟାପକ ଧାନ ଓ ପରିବା ଫସଲ ନଷ୍ଟ ହୋଇଛି। ହାତୀପଲଙ୍କୁ ଘଉଡାଇବା ପାଇଁ ବନବିଭାଗର ସମସ୍ତ ପଦକ୍ଷେପ ଫେଲ୍‌ ମାରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।