ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

କେନ୍ଦୁଝର,୧୯ା୪(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଦେଉଳଡିହାଠାରେ ରବିବାର ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ତେଲକୋଇ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଦେଉଳଡିହାଠାରେ ରହୁଥିବା ବେଣୁ ସିଙ୍ଗରାଙ୍କ ସ୍ତ୍ରୀ କ୍ଷୀର(୬୦) ସକାଳେ ମଣ୍ଡେଇସାହି ନିକଟସ୍ଥ ବୁଲୁ ହୁଡିକୁ ମହୁଲ ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ବୃଦ୍ଧା ଜଣକ ପ୍ରାଣ ଭୟରେ ଦୌଡ଼ିବା ସମୟରେ ଏକ ଖାଲରେ ପଡ଼ିି ଯାଇଥିଲେ। ହାତୀଟି ପାଖକୁ ଯାଇ ତାଙ୍କୁ ପାଦରେ ଚାପି ଦେଇ ଜଙ୍ଗଲ ଆଡ଼କୁ ପଳାଇ ଯାଇଥିଲା। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ।