ହାତୀ ଆକ୍ରମଣରେ ବୃଦ୍ଧା ସଙ୍କଟାପନ୍ନ

କେସିଙ୍ଗା/ସେରଗଡ଼,୩୦।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ରେଞ୍ଜ ଅଧୀନ ତେର୍ଲୋ ଗ୍ରାମର ଜଣେ ବୃଦ୍ଧା ଗୁରୁବାର ସକାଳ ସାଢ଼େ ୬ଟାରେ ନିକଟସ୍ଥ ଜଙ୍ଗଲକୁ ମହୁଲ ଫଳ (ଟୋଳ) ଗୋଟେଇବାକୁ ଯାଇ ଦନ୍ତାହାତୀ ଆକ୍ରମଣ ଶିକାର ହୋଇଛନ୍ତି । ସେ ହେଲେ ଗ୍ରାମର ସପୁରୀ ବାରିକ (୭୨) । ସବୁ ଦିନ ପରି ସପୁରୀ ଟୋଳ ଗୋଟାଇବାକୁ ଯାଇଥିଲେ। ବୃଦ୍ଧା ଜଣକ ମହୁଲ ଗଛରୁ ଟୋଳ ସଂଗ୍ରହ କରୁଥିବା ବେଳେ ହଠାତ ହାତୀ ଆକ୍ରମଣ କରିଥିଲା। ଆକ୍ରମଣରେ ବୃଦ୍ଧାଙ୍କ ଡାହାଣ ଗୋଡ, ଜଙ୍ଘ ମାଂସ ଖଣ୍ଡ ବିଖଣ୍ଡିତ ହୋଇଯାଇଛି । ମୁଣ୍ଡ, କାନରେ ମଧ୍ୟ ଗଭିର ଆଘାତ ହୋଇଛି । କୌଣସି ସୂତ୍ରରୁ ତେର୍ଲୋ ଗ୍ରାମର ଲୋକେ ଖବର ପାଇ ନର୍ଲା ବନ ବିଭାଗ ରେଞ୍ଜରଙ୍କୁ ଜଣାଇଥିଲେ । ପରେ ଘଟଣାସ୍ଥଳରେ ନର୍ଲା ରେଞ୍ଜର ନୃତ୍ୟରାଜ ମାଝି, ଫରେଷ୍ଟର ମଧୁକର ପୁଟେଲ, କମର୍ଦ୍ଧା ବନପାଳ ନବୀନ କୁମାର ମାଝି, ବନରକ୍ଷୀ ମାନସ ସାହୁ ପ୍ରମୁଖ ପହଞ୍ଚତ୍ ବୃଦ୍ଧାଙ୍କୁ ଉଦ୍ଧାର କରି ନର୍ଲା ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ବୃଦ୍ଧାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ନର୍ଲାରେ ପ୍ରାଥମିକ ଚିକିତ୍ସା କରି ପରେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏ ନେଇ ନର୍ଲା ବନବିଭାଗ ରେଞ୍ଜର ନୃତ୍ୟରାଜ ମାଝିଙ୍କୁ ପଚାରିବାରୁ ଉକ୍ତ ବୃଦ୍ଧାର ସମସ୍ତ ଖର୍ଚ୍ଚ ସହିତ ଅନୁକମ୍ପା ରାଶି ଦିଆଯିବ ବୋଲି ପ୍ରକାଶ କରିଥିଲେ ।