ଚମ୍ପୁଆ,୨୩ା୧(ଡି.ଏନ.ଏ)- ଚମ୍ପୁଆ ରେଞ୍ଜ ଅଧୀନରେ ରହିଥିବା ବାଲିବନ୍ଧ, ବାମେବାରି, ଚମ୍ପୁଆ, ଉଖୁଣ୍ଡା ଓ ଯୋଡା ଅଞ୍ଚଳରେ ବର୍ଷ ସାରା ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ବନ ବିଭାଗ କେବଳ ସରକାରୀ ସହାୟତା ପ୍ରଦାନ କରି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବା ଦେଖିବାକୁ ମିଳିଛି। ହାତୀପଲ ମାସ ମାସ ଧରି ଚମ୍ପୁଆ ରେଞ୍ଜ ତଥା ସେକ୍ସନରୁ ଯାଉ ନ ଥିବା ବେଳେ ବନ ବିଭାଗର ହାତୀ ଘଉଡାଇବା କୌଶଳ ଏକ ପ୍ରକାର ବିଫଳ ହେଉଥିବା ଦେଖିବାକୁ ମିଳିଛି। ଫଳରେ ଚାଷ ଓ ଘରଦ୍ୱାର ପ୍ରଭୂତ କ୍ଷତି ହେଉଥିବା ଦେଖାଦେଇଛି। ବର୍ଷସାରା ଏହି ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ବନ ବିଭାଗର ନୀରବପଣିଆ ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଶିମିଳିପାଳ ଅଞ୍ଚଳରୁ ଏହି ହାତୀ ପଲ ଚମ୍ପୁଆ ରେଞ୍ଜରେ ପ୍ରବେଶ କରି ଝାଡଖଣ୍ଡ ଚାଲିଯାଉଥିବା ବେଳେ ବାଟରେ ପଡୁଥିବା ବିଭିନ୍ନ ଶସ୍ୟ କ୍ଷେତ୍ର ନଷ୍ଟ କରିବା ସହିତ ଘରଦ୍ୱାର ଗୁଡିକୁ ଭାଙ୍ଗି ଦେଉଥିବା ଦେଖାଦେଇଛି। ସୂଚନା ଅନୁସାରେ ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ୨୦୧୯ ମସିହାରୁ ଆଜି ପର୍ଯ୍ୟନ୍ତ ଏହି ହାତୀପଲ ୬୦୭ ଜଣ ଲୋକଙ୍କର ୧୪୭ ଏକର ଜମିରେ ଚାଷ ନଷ୍ଟ କରିଥିବା ବେଳ ୯୯ଟି ଘର ଭାଙ୍ଗି ଦେଇଛନ୍ତି। ଏଥି ପଧ୍ୟରୁ ୨୪୭ ଜଣଙ୍କ ଚାଷ ଜମି କ୍ଷତି ବାବଦକୁ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ଘର ଭଙ୍ଗା ବାବଦକୁ ୭୭ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବିଭାଗ ତରଫରୁ ମିଳୁଥିବା ସହାୟତା ସମୁଦ୍ରକୁ ଶଙ୍ଖେ ଭଳି ରହୁଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଘର ବାବଦକୁ ୧୦ ହଜାର ଟଙ୍କା ଓ ସାମାନ୍ୟ ଭାଙ୍ଗି ଯାଇଥିବା ଘର ବାବଦକୁ ୨ ହଜାର ଟଙ୍କା ସହାୟତା ରାଶି ସରକାରଙ୍କ ତରଫରୁ ବ୍ୟବସ୍ଥା ରହିଛି। ମାତ୍ର ଏହି ବଣୁଆ ହାତୀ ଦ୍ୱାରା ହେଉଥିବା କ୍ଷୟକ୍ଷତି ଜଣେ ନ ଦେଖିଲେ କେବେ ବିଶ୍ୱାସ କରି ପାରିବେ ନାହିଁ ବୋଲି ଜଣାଯାଇଛି। ହାତୀମାନଙ୍କ ଦ୍ୱାରା ହେଉଥିବା କ୍ଷୟକ୍ଷତି ତୁଳନାରେ ମିଳୁଥିବା ସହାୟତା ରାଶି ଯଥେଷ୍ଟ ହେଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଶେଷ ଭାବରେ ହାତୀଗୁଡିକ ରଜିଆ, ପତଳା, କଇଁତା ଆଦି ଅଞ୍ଚଳରେ ଦୀର୍ଘ ଦିନ ଧରି ରହି ଯାଉଛନ୍ତି। ବନ ବିଭାଗ କେବଳ ହାତୀ ଘଉଡାଇବା ନାଁରେ ତାଙ୍କୁ କେବଳ ଜଗି ରହୁଥିବା ବେଳେ ସ୍କ୍ବାଡଙ୍କୁ ଚକମା ଦେଖାଇ ପ୍ରାୟତଃ ଭୋର ସମୟରେ ଘରଦ୍ୱାର ଭାଙ୍ଗୁଥିବା ନଜିର ରହିଛି। ଚମ୍ପୁଆ ରେଞ୍ଜରେ ବାମେବାରୀ, ଚମ୍ପୁଆ, ଉଖୁଣ୍ଡା ସେକ୍ସନରେ ଏହି ହାତୀ ପଲ ଦୀର୍ଘ ଦିନ ଧରି ଅବସ୍ଥାନ କରୁଥିବାର ଦେଖାଦେଇଛି। ୨୦୧୯ ବର୍ଷରୁ ବର୍ତ୍ତମାନ ସୁଦ୍ଧା ୨୪୬ ଜଣଙ୍କୁ ଚାଷ କ୍ଷୟକ୍ଷତି ବାବଦକୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଇଥିବା ବେଳେ ଘର ଭଙ୍ଗା ବାବଦକୁ ୮୭ ଜଣଙ୍କୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଇଛି। ଦିନକୁ ଦିନ ଏହି ହାତୀ ସମସ୍ୟା ବଢିବାରେ ଲଗିଥିବାରୁ ଅନେକ ସମୟରେ ଏହି ହାତୀପଲ ସହର ଅଭିମୁଖୀ ହେଉଥିବା ଦେଖାଦେଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆ ନ ଗଲେ ଆଗାମୀ ଦିନରେ ଚାଷୀର ଚାଷ ଉଜୁଡି ଯିବାର ସମ୍ଭାବନା ରହିଛି। ତେଣୁ ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବା ପାଇଁ କ୍ଷୟକ୍ଷତି ଅଞ୍ଚଳ ଗୁଡିକର ଆଦିବାସୀମାନେ ଦାବି କରିଛନ୍ତି।