ହାତୀ ଉପଦ୍ରବ, ବ୍ୟାପକ ଧାନ ଫସଲ ନଷ୍ଟ

ଅମରପାଲି, ୧୦।୮ (ଡି.ଏନ.ଏ.) : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଗ୍ରାମରେ କିଛିଦିନ ତଳେ ହାତୀପଲ ଧାନ ପହ୍ଲା ନଷ୍ଟ କରିଥିଲେ। ଶୁକ୍ରବାର ରାତିରେ ପୁଣିଥରେ ହାତୀପଲ ସୀମାନ୍ତ ବହଲପଦର ଗାଁ ସମୀପ ଖେତରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଜଙ୍ଗଲକୁ ଲାଗି ରହିଥିବା ଉକ୍ତ ଅଞ୍ଚଳରେ ପ୍ରତ୍ୟହ ହାତୀ ଉପଦ୍ରବ ଲାଗି ରହୁଛି । ଶୁକ୍ରବାର ରାତିରେ ପ୍ରାୟ ୧୦ରୁ ୧୫ଟି ହାତୀ ବହଲପଦର ଅଞ୍ଚଳକୁ ଆସି ରୁଆ ଓ ବିହୁଡା ହୋଇଥିବା ଧାନ ଫସଲକୁ ଦଳିଚକଟି ନଷ୍ଟ କରିଛନ୍ତି। ଗ୍ରାମର ହର ସାହୁ, ଆର୍ତ୍ତତ୍ତ୍ରାଣ ସାହୁ ଓ ପଦ୍ମାବତୀ ସାହୁଙ୍କ ୫ଏକର ଲେଖାଏଁ ଏବଂ ଶାନ୍ତିଲତା ଭୋଇ, ଅଶୋକ ଭୋଇ, ପଞ୍ଚାନନ ଭୋଇ, ଦୂତ ଭୋଇ ଓ ଗୋବିନ୍ଦ ଭୋଇ, ବଂଶୀ ସାହୁଙ୍କ ପ୍ରତ୍ୟେକ ୧ ଏକର ଲେଖାଏଁ ଧାନ ଚାଷ ନଷ୍ଟ କରିଛନ୍ତି। ଚଳିତ ବର୍ଷ ବିଳମ୍ବ ବର୍ଷା ଓ ସ୍ବଳ୍ପ ବୃଷ୍ଟି ଯୋଗୁଁ ଚାଷ କାମ ବିଳମ୍ବ ହୋଇଛି। ଏପରିକି ବର୍ଷା ହଠାତ ଛାଡି ଯିବାରୁ ରୁଆ ଓ ବିହୁଡା ମଧ୍ୟ ହୋଇପାରି ନଥିଲା। ମାତ୍ର ଏଇ କିଛି ଦିନ ପୂର୍ବରୁ ବର୍ଷା ହେବା ଯୋଗୁଁ ଚାଷୀ ତତ୍ପରତା ପ୍ରକାଶ କରି ରୁଆ ବିହୁଡା କରିଥିଲା। ଏବେ ହାତୀପଲ ଧାନ ଚାଷ ନଷ୍ଟ କରିବା ଯୋଗୁଁ ଚାଷୀ ପୁଣି ହତାସ ହୋଇ ପଡିଛି । ବନ ବିଭାଗ ହାତୀ ଘଉଡାଇବା ସହିତ ଯଥାଶୀଘ୍ର କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ଏନେଇ ହାତୀଲିମୁଣ୍ଡା ସେକ୍ସନ୍‌ ବହଲପଦର ବିଟ୍‌ର ବନରକ୍ଷୀ ରାମଶଙ୍କର ମେହେରଙ୍କୁ ପଚାରିବାରୁ ସେ ହାତୀ କ୍ଷୟ କରିଥିବା ଚାଷ ଜମିକୁ ଯାଇ କ୍ଷୟକ୍ଷତିର ଆକଳନ କରିଥିବା କହିଛନ୍ତି । ଯଥାଶୀଘ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିିଆଯିବ ବୋଲି ପ୍ରକାଶ କରିଛନ୍ତି ।

Share