ହାତୀ ଗୋଡ଼ାଇବା ବେଳେ କୂଅରେ ପଡ଼ି ବୃଦ୍ଧଙ୍କ ଜୀବନଗଲା

ଠାକୁରମୁଣ୍ଡା,୧୯।୧୨(ଡି.ଏନ୍‌.ଏ.) : ହାତୀମାନଙ୍କ କବଳରୁ ରକ୍ଷା ପାଇବାକୁ ଯାଇ ଜଣେ ବୃଦ୍ଧ ଦୌଡ଼ିବା ବେଳେ କୂଅରେ ପଡ଼ି ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ବାଟଗୌଡ଼ଗାଁର ଦ୍ୱାରୀ ନାଏକ (୬୫)।
କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣୀ ରେଞ୍ଜର ରାଣୀପାଟ ସେକ୍ସନ ଅନ୍ତର୍ଭୁକ୍ତ ବାଟଗୌଡ଼ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ବୁଧବାର ସାରେ ଗାଁ ନିକଟ ଧାନବିଲକୁ ୨୨ଟି ହାତୀ ପଶି ଫସଲ ଖାଇବାରୁ ବନବିଭାଗ କର୍ମଚାରୀମାନଙ୍କ ଉପସ୍ଥିତିରେ ଗାଁ ଲୋକମାନେ ଘଉଡ଼ାଉଥିଲେ। ଏହି ସମୟରେ ହାତୀପଲ ଉତ୍ତ୍ୟକ୍ତ ହୋଇ ଲୋକମାନଙ୍କ ଆଡ଼କୁ ମାଡ଼ିଆସିଥିଲେ। ହାତୀ ଆକ୍ରମଣରୁ ବଞ୍ଚିବା ପାଇଁ ଲୋକମାନେ ଏଣେତେଣେ ଦୌଡ଼ିଥିଲେ। ସେଠାରେ ହାତୀମାନଙ୍କୁ ଦେଖୁଥିବା ଦିବ୍ୟାଙ୍ଗ ବୃଦ୍ଧ ମଧ୍ୟ ଜୀବନ ବିକଳରେ ଅନ୍ଧାରରେ ଜୀବନ ବଞ୍ଚାଇବାକୁ ଯାଇ ବିଲ ପାଖରେ ଥିବା ଜଣେ ବ୍ୟକ୍ତିଙ୍କ ଗଭୀର କୂଅ ଭିତରେ ପଡ଼ିଯାଇଥିଲେ। ଗାଁ ଲୋକେ ତାଙ୍କୁ କୂଅ ଭିତରୁ ଉଦ୍ଧାର କରି କରଞ୍ଜିଆ ସାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ଗରିବ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।