ହାତୀ ନଦୀରେ ବନ୍ୟା ପରିସ୍ଥିତି: ଶତାଧିକ ଏକର ଚାଷ ଜମି ଜଳମଗ୍ନ, ଯାତାୟାତ ବ୍ୟାହତ

ଜୁନାଗଡ,୭।୯(ଡି.ଏନ.ଏ.)
ଗତ ୨ ଦିନ ଧରି ଉପରମୁଣ୍ଡାରେ ଲଗାଣ ବର୍ଷା ଓ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ୍‌ରେ ପାଣି ଛଡାଯିବା ପରେ କଳାହାଣ୍ଡି ଜିଲାରେ ପ୍ରବାହିତ ହାତୀନଦୀରେ ଶୁକ୍ରବାର ଭୋରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହାତୀନଦୀରେ ବନ୍ୟା ଆସିବା ଯୋଗୁ ଜୁନାଗଡ ବ୍ଲକ ନଦୀ କୂଳରେ ଥିବା ବିଭିନ୍ନ ପଞ୍ଚାୟତର ଶତାଧିକ ଏକର ଚାଷଜମି ଜଳମଗ୍ନ ହୋଇଛି। ବିଶେଷ କରି ନଦୀକୂଳରେ ଥିବା ତଳମଲା, ଆଟିଗଁ। , ଚିଚୈଗୁଡା, ନାନ୍ଦୋଲ,କେନ୍ଦୁପାଟି, ଚିଙ୍ଗୁଡିସର, ଭଇଁରୀଗୁଡା, ବଳଦିଆମାଲ, ପଲାସ, ଗୌଡଛେଣ୍ଡିଆ,ମାଲିଗୁଡା, ହାବସପୁର, ଦାସିଗଁ। , ରାଜପୁର, ବଣିଜରା ଆଦି ପଞ୍ଚାୟତ ଓ ଜୁନାଗଡ ଏନ୍‌ଏସି ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ଏଥିଯୋଗୁ ସେଠାରେ ରୁଆ ହୋଇଥିବା ଧାନ ଫସଲ ଓ ରୁଆ ହୋଇ ନ ଥିବା ତଳି (ପହ୍ଲା) ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି। ଏହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ହାତୀନଦୀରେ ବନ୍ୟା ଯୋଗୁ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ହାତୀନଦୀ-ଆଟିଗଁ। ପିଡବ୍ଲ୍ୟୁଡି ରାସ୍ତା ମଧ୍ୟରେ ଥିବା ଚିଚୈଗୁଡା ନିକଟସ୍ଥ ଖଳିଆ ସର (ନାଳ)ରେ ବନ୍ୟା ପାଣି ପ୍ରବାହିତ ହେଉଛି । ଏଥିଯୋଗୁ ଜୁନାଗଡକୁ ଯାତାୟାତ ଠପ୍‌ ହୋଇଛି। ଫଳରେ ଚିଚୈଗୁଡା, ଆଟିଗଁ। , ତଳମଲା ପଞ୍ଚାୟତ ଲୋକମାନେ ଚିଚୈଗୁଡା ଓ ବଣ୍ଡାକୁଟ୍ରା ଛକ ଦେଇ ମୁଖ୍ୟ ରାସ୍ତା ବୁଲି କି ଜୁନାଗଡକୁ ଯାତାୟାତ କରୁଛନ୍ତି। ସେହିପରି ଜୁନାଗଡରୁ ନାନ୍ଦୋଲ ଚିଙ୍ଗୁଡିସର, ମାକରଶୋଲା, ପାଣିଗଁ। କୁ ଯାଉଥିବା ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।