ହାତୀ ଭୟରେ ବନ୍ଦ ହେଲା ସ୍କୁଲ, ଜଣେ ଆହତ

ବାଙ୍ଗିରିପୋଷି,୭ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଜାରି ରହିଛି। ଶୁକ୍ରବାର ଝିଙ୍କପାହାଡି ଗ୍ରାମରେ ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ପାଚେରୀ ନ ଥିବା ଯୋଗୁ ଏହି ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଛୁଟି କରି ଦିଆଯାଇଥିଲା ା ସେହିପରି ହାତୀ ଆକ୍ରମଣରେ ଉଆଣିଆ ଗ୍ରାମର ଗଙ୍ଗାଧର ସାହୁ ଆହତ ହୋଇଛନ୍ତି। ହାତୀ ଘଉଡାଇବା ସମୟରେ ସେ ଆକ୍ରମଣର ଶିକାର ହୋଇଥିଲେ।


ଗତ କିଛି ଦିନ ହେଲା ଧୋବଣିଶୋଳ ପଞ୍ଚାୟତ ଅନ୍ତର୍ଗତ ବାଲିଖଣି, ମାଟିଖଣି ଓ କୁଆବସା ଅଞ୍ଚଳରେ ହାତୀ ପଲ ବ୍ୟାପକ ପାଚିଲା ଧାନ ନଷ୍ଟ କରିଛନ୍ତି। ଏବେ ମଧ୍ୟ ସ୍ଥାନୀୟ ଟୁଲିଆ ଜଙ୍ଗଲ, ରାଙ୍ଗା ପାହାଡ ଓ ନାଫ୍ରି ପଞ୍ଚାୟତର ଝିଙ୍କପାହାଡ଼ି-ନେତ୍ରାପାଟ ଜଙ୍ଗଲରେ ହାତୀପଲ ଥିବା ସୂଚନା ମିଳିଛି। ଫଳରେ ଏହାର ଆଖପାଖ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ହାତୀ ଭୟରେ ସନ୍ଧ୍ୟା ହେଲେ ଲୋକେ ପଦାକୁ ବାହାରୁ ନ ଥିବା ବେଳେ ରାତି ଉଜାଗର ରହୁଛନ୍ତି। ରାତି ହେଲେ ହାତୀ ପଲ ଜଙ୍ଗଲରୁ ବାହାରି କ୍ଷେତରେ ପଶି ଧାନ ଫସଲ ଖାଇବା ସହ ପାଦରେ ଦଳି ନଷ୍ଟ କରୁଛନ୍ତି। ଏହି ହାତୀପଲରେ ଛୁଆ ଏବଂ ଦନ୍ତା ହାତୀ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି ା ବନ ବିଭାଗ କର୍ମଚାରୀମାନେ ହାତୀ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଥିବା କହିଛନ୍ତି।