ହାତୀ ମୃତ୍ୟୁର ଅନୁଧ୍ୟାନ କରିବ ୬ ଜଣିଆ କମିଟି

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ହାତୀଙ୍କୁ ହରପିସ୍‌ ସଂକ୍ରମଣକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହାର ଅନୁଧ୍ୟାନ ପାଇଁ ସେଣ୍ଟ୍ରାଲ ଜୁ’ ଅଥରିଟି ପକ୍ଷରୁ ଏକ କମିଟି ଗଠନ ହୋଇଛି। ଏହି କମିଟିରେ ୬ଜଣ ସଦସ୍ୟ ରହିଛନ୍ତି। ଖୁବ୍‌ଶୀଘ୍ର ଏହି କମିଟି ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବ ବୋଲି ଶୁକ୍ରବାର ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ଦେଖାଦେଇଥିବା ସଂଘର୍ଷ ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ରାଜ୍ୟରେ ଥିବା ୧୧ହଜାର ବନ ସୁରକ୍ଷା ସମିତି ସଂଖ୍ୟାକୁ ୨୦ହଜାରକୁ ବୃଦ୍ଧି କରାଯିବ। ଏଥିପାଇଁ ଟେକ୍ନୋଲୋଜିର ବ୍ୟବହାର ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ନନ୍ଦନକାନନରେ ଗତ ୧ ମାସ ଭିତରେ ହରପିସ୍‌ରେ ୪ ହାତୀଙ୍କ ମୃତ୍ୟୁ ହୋଇଛି। ଏହା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। ଅଗଷ୍ଟ ୨୫ରେ ହାତୀ ‘ଜୁଲି’, ସେପ୍ଟେମ୍ବର ୧୫ରେ ‘ଚନ୍ଦନ’ ଏବଂ ୧୯ରେ ‘କମଳା’ର ମୃତ୍ୟୁ ହୋଇଥିବା ବେଳେ ସେପ୍ଟେମ୍ବର ୨୦ରେ ୭ବର୍ଷର ଛୁଆହାତୀ ‘ଗୌରୀ’ର ମୃତ୍ୟୁ ଘଟିଥିଲା।

Share