Categories: ଜାତୀୟ

ହାତୀ ମୃତ୍ୟୁ ଘଟଣା: ଜଣେ ଅଭିଯୁକ୍ତ ଗିରଫ

ତିରୁଭାନନ୍ତପୁରମ,୫।୬: କେରଳର ମଲ୍ଲାପୁରମ୍‌ରେ ଏକ ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ଭଳି ଏକ ହୃଦୟବିଦାରକ ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି। ଏହି ଘଟଣାରେ ଶୁକ୍ରବାର ଜଣଙ୍କୁ ଗିରଫ କରାଯାଇଛି ବୋଲି ରାଜ୍ୟ ଜଙ୍ଗଲ ମନ୍ତ୍ରୀ କେ. ରାଜ୍ୟ ସୂଚନା ଦେଇଛନ୍ତି। ଏହାପୂର୍ବରୁ ପୋଲିସ ୩ ସଂଦିଗ୍ଧଙ୍କୁ ଧରି ପଚରାଉଚରା କରୁଥିଲା। ଏହି ଘଟଣାରେ ଅନ୍ୟ ଦୋଷୀଙ୍କୁ ପୋଲିସ ଖୋଜୁଛି। କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି, ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ।
ସୂଚନାଯୋଗ୍ୟ,ମେ’ ୨୩ ତାରିଖ ଦିନ ହାତୀଟି ଖାଦ୍ୟ ଅନ୍ବେଷଣରେ କେରଳର ପାଲକ ଜିଲାର ଏକ ଗ୍ରାମ ଭିତରକୁ ପଶିଆସିଥିଲା ବେଳେ କିଛି ସ୍ଥାନୀୟ ଲୋକ ସପୁରୀରେ ବାଣ ଭର୍ତ୍ତି କରି ହାତୀଟିକୁ ଖାଇବାକୁ ଦେଇଥିଲେ। ଆଉ ହାତୀ ଏହି ସପୁରୀଟିକୁ ଖାଇବା ପରେ ପ୍ରଚଣ୍ଡ ଶବ୍ଦ କରି ବାଣଟି ଫାଟିଯିବାରୁ ମୁହଁର ଏକ ବଡ ଅଂଶ ଜଳିଯିବା ସହ କ୍ଷତବିକ୍ଷତ ହୋଇ ଯାଇଥିଲା। ଏହାପରେ ହାତୀଟି ଅସହ୍ୟ ଯନ୍ତ୍ରଣାରେ ଘୂରି ବୁଲିଥିଲା। ତା’ର ଜିଭ ଛିଣ୍ଡି ଚାରିଦିନ କାଳ ସେ କିଛି ଖାଇ ପାରି ନ ଥିଲା। ଯନ୍ତ୍ରଣା ଉପଶମ ପାଇଁ ନିକଟସ୍ଥ ଭେଲିୟାର ନଦୀରେ ପଶିଯାଇଥିଲା। ତାକୁ ଉଦ୍ଧାର କରିବାକୁ ବନ ଅଧିକାରୀ ନୀଳକଣ୍ଠନ ଓ ସୁରେନ୍ଦ୍ରନ ନାମକ ଦୁଇଟି ପ୍ରଶିକ୍ଷିତ ହାତୀକୁ ସେଇ ନଦୀକୁ ଆାଣିଥିଲେ। କିନ୍ତୁ ସେଇ ଗର୍ଭିଣୀ ହାତୀଟିକୁ ସେମାନେ ଉଦ୍ଧାର କଲା ବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା। ସେତେବେଳେ ଜଣାପଡିଥିଲା ଯେ ହାତୀଟି ଗର୍ଭବତୀ ଥିଲା। ତେଣୁ ଏହି ଘଟଣା ସମସ୍ତଙ୍କୁ ଗଭୀର ଆଘାତ ଦେଇଥିଲା।

Share