ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର

ବାରିପଦା ଅଫିସ,୨ା୧୦- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଭାଲୁଘେରା ଜଙ୍ଗଲରୁ ମଙ୍ଗଳବାର ଏକ ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ଏହି ହାତୀ ଶାବକର ମୃତ୍ୟୁ ସାଧାରଣ ଅଥବା ପରସ୍ପର ମଧ୍ୟରେ ଲଢେଇ କାରଣରୁ ହୋଇଥାଇ ପାରେ ବୋଲି ବାରିପଦା ଡିଏଫଓ ସୟମ ମଲ୍ଲିକ କହିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସେ ପ୍ରକାଶ କରିଛନ୍ତି। ରାସଗୋବିନ୍ଦପୁର ରେଞ୍ଜ ମୋରଡା ବ୍ଲକ ଅଞ୍ଚଳକୁ ଗତ ସେପ୍ଟେମ୍ବର ୨୭ ତାରିଖରେ ଝାଡଖଣ୍ଡ ଦଲମା ଜଙ୍ଗଲରୁ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ହାତୀ ପଶ୍ଚିମବଙ୍ଗ ପଟେ ଆସିଥିଲେ। ୫୦ଟି ହାତୀ ବେତନଟୀ ରେଞ୍ଜ ଅଞ୍ଚଳକୁ ଚାଲିଯାଇଥିବା ବେଳେ ୧୦ଟି ହାତୀ ଭାଲୁଘେରା ଜଙ୍ଗଲରେ ରହିଯାଇଥିଲେ। ସୋମବାର ରାତିରେ ଉକ୍ତ ହାତୀ ପଲ ବେତନଟୀ ରେଞ୍ଜ ଅଭିମୁଖେ ଚାଲିଯାଇଥିଲା ବେଳେ ମଙ୍ଗଳବାର ହାତୀ ଶାବକର ମୃତଦେହ ମିଳିଥିଲା। ମୃତ ଶାବକଟିର ବୟସ ୪ରୁ ୫ ବର୍ଷ ମଧ୍ୟରେ ହେବ ବୋଲି ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି।